ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକରେ ଯୋଗଦାନ

ଜଗତସିଂହପୁର,୧୧/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ। ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଧାନର FAQ ମାନ କେନ୍ଦ୍ର ସରକାର ନିର୍ଧାରଣ କରିଛନ୍ତି। ତେଣୁ ପ୍ରତ୍ୟେକ ଚାଷୀଭାଇ ମାନେ ଉନ୍ନତ ମାନର ଧାନ ଆଣି ମଣ୍ଡିରେ ଦେବା ସହିତ ସରକାରଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ପାଆନ୍ତୁ। ଜଗତସିଂହପୁର ଜିଲ୍ଲାରେ ଅଦିନିଆ ବର୍ଷାରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ କଟନି ଛଟନି ପାଇଁ କୌଣସି ନିୟମ କରାଯାଇ ନାହିଁ। ଜାନୁଆରୀ ୩୧ ତାରିଖ ସୁଦ୍ଧା ସମସ୍ତ ଖାଉଟି ମାନେ ନିଜର e-KYC କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।ଯଦି ବାହାର ରାଜ୍ୟରେ କେହି e-KYC କରିପାରୁ ନାହାନ୍ତି,ତେବେ ୧୯୬୭ କୁ ଫୋନ୍ କଲେ ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ। ଧାନ ସଂଗ୍ରହ ବେଳେ ମିଲର୍ ମାନେ ଚାଷୀଙ୍କୁ ଭଲ ଅଖା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକରେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ, ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ସାଧାରଣ ଲୋକଙ୍କ ହିତ ପାଇଁ ଖାଦ୍ୟ ଯୋଗାଣ ବିଭାଗ ଜଡ଼ିତ। ରାଜ୍ୟରେ ଧାନମଣ୍ଡି ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ପାଇଁ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ଇତ୍ୟାଦି ସୁବ୍ୟବସ୍ଥିତ ଭାବରେ କରାଯାଇଛି। ଏହି ବୈଠକରେ ଯୋଗଦେଇ ବାଲିକୁଦା – ଏରସମା ର ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ଚଳିତ ବର୍ଷ ଜିଲ୍ଲାରେ ଭଲ ଧାନ ଚାଷ ହୋଇଛି। ଅଦିନିଆ ବର୍ଷାରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି, ତେଣୁ ଜଗତସିଂହପୁର ଜିଲ୍ଲା ପାଇଁ FAQ ଧାନ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏହି ବୈଠକରେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଶ୍ରୀ ରମାକାନ୍ତ ଭୋଇ କହିଲେ ଜଗତସିଂହପୁର ଜିଲ୍ଲାରେ ଅଦିନିଆ ବର୍ଷାରେ ଧାନ ଚାଷ କ୍ଷତିଗ୍ରସ୍ତ ହେବା ସହ ଧାନର ମାନ ହ୍ରାସ ପାଇଛି, ତେଣୁ ଏ ଜିଲ୍ଲା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। କ୍ଷୟକ୍ଷତି ପାଇଁ ସଠିକ୍ ଭାବରେ ଯୁଗ୍ମ ଯାଞ୍ଚ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜରୁରୀକାଳୀନ ପାଇଁ ଗରିବ ଲୋକଙ୍କ ନିମନ୍ତେ କିଛି ରାସନ୍ କାର୍ଡ ର ବ୍ୟବସ୍ଥା କରାଯାଉ ବୋଲି ବିଧାୟକ ପ୍ରକାଶ କରିଥିଲେ। ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲାରେ ଖୋଲା ଯାଇଥିବା ମଣ୍ଡି ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିବା ସହ ଅଦିନିଆ ବର୍ଷାର କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ଉପସ୍ଥିତ ଥିଲେ। ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା, ସହକାରୀ ନିବନ୍ଧକ ଶ୍ରୀ ପ୍ରଭାତ କୁମାର ମହାପାତ୍ର,ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତି ସୁଜାତା ମିଶ୍ର ନିଜ ନିଜ ବିଭାଗ ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି, ନିର୍ବାହୀ ଅଧିକାରୀ, ଜଗତସିଂହପୁର ପୌର ପରିଷଦ,ଲିଗାଲ ମେଟ୍ରୋଲୋଜି ବିଭାଗର ଯୁଗ୍ମ କଣ୍ଟ୍ରୋଲର ,ଜିଲ୍ଲାରେ କାର୍ଯ୍ୟରତ ସମସ୍ତ M.I ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *