କେନ୍ଦ୍ରାପଡ଼ା, ୦୭/୦୧/୨୦୨୫ (ଓଡ଼ିଶା ସମାଚାର)- ଜିଲା ବିଜେପି ପକ୍ଷରୁ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ଏକ ପତ୍ରକାର ସମ୍ମିଳନୀ ସ୍ଥାନୀୟ ମୀରପାଟଣା ଲକ୍ ରୋଡ୍ ସ୍ଥିତ ସ୍ୱୟଂ ସେଲିବ୍ରେସନ୍ ମଣ୍ଡପରେ ଜିଲା ସଭାପତି କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କହିଲେ ଯେ କେନ୍ଦ୍ର ସରକାରଙ୍କ ଫୋକସ୍ ରେ ଆମ ରାଜ୍ୟ ଓଡିଶା ରହିଛି । ଓଡିଶାର ସାମଗ୍ରିକ ବିକାଶ, ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେଉଛି ଏହାର ମୂଳ ଲକ୍ଷ୍ୟ । କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଓଡିଶାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ଭିତିଭୂମି, ସଡକ, ରେଳ, ବିମାନ ସେବାର ମାନ ବୃଦ୍ଧି କରାଯାଇ ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ବଦ୍ଧ ପରିକର । ଗରିବ, ଯୁବକ, କୃଷକ ଓ ମହିଳା କଲ୍ୟାଣ ନିମନ୍ତେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଓଡିଶାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି ଏକାକି ସରକାର ଗଠନ କରିବା ପରେ ଜାତୀୟ ସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟରେ ଅନୁଷ୍ଠିତ ହୋଇଛି । ଗତ ମାସରେ ଓଡିଶାରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ପୋଲିସ୍ ମହାନିର୍ଦ୍ଧେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗଦେଇ ତିନିଦିନ ଓଡିଶାରେ ରହିଥିଲେ । ସେହିପରି ନୌସେନା ଦିବସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ଆସନ୍ତା ୮,୯ ଓ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ଏହା ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ପାଖାପାଖି ପ୍ରାୟ ୬୦ଟି ଦେଶରୁ ପ୍ରବାସୀ ଭାରତୀୟମାନେ ଏଥିରେ ଅତିଥି ଭାବେ ଯୋଗ ଦେବେ । ବସୁଧୈଃବ କୁଟୁମ୍ବକମ୍: “ସମଗ୍ର ବିଶ୍ୱ ହେଉଛି ମୋ ପରିବାର” ଏହି ବାର୍ତାର ମହତ୍ୱ ଓ ଗୁରୁତ୍ୱକୁ ପ୍ରବାସୀଙ୍କ ଜରିଆରେ ସାରା ବିଶ୍ୱରେ ପହଂଚାଇବାର ଅବସର ଆସିଛି । ଏଥିସହ ଓଡିଶାର ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ ଓ ପରମ୍ପରାକୁ ବ୍ୟାପକ କରିବାର ଅବସର ଆସିଛି । ବିଶେଷ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାରେ ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହେବ । ଅନ୍ୟ ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟନଙ୍କ ସଂଖ୍ୟା ବୃଦ୍ଧି ପାଇବ । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା କାରଣରୁ ଓଡିଶାର ମାନ ଓ ସମ୍ମାନ ବିଶ୍ୱସ୍ତରରେ ବୃଦ୍ଧି ପାଇବ । ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଓଡିଶାର ବିକାଶ ପାଇଁ ମୋଦିଜୀ ଆଣିଦେଇଥିବା ଏଭଳି ଅପାର ସମ୍ଭାବନାକୁ ବାସ୍ତବ ରୂପ ଦେବାର ସୁଯୋଗ ଆମ ସମସ୍ତଙ୍କ ପାଖକୁ ଆସିଛି । ସମଗ୍ର ଓଡିଶାବାସୀ ମିଳିମିଶି ଏହି କାର୍ଯ୍ୟକ୍ରମକୁ ସଫଳ କରିବେ । ଏହି ତିନି ଦିନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ଦେଶ ଓ ବିଦେଶରୁ ଅନେକ ମାନ୍ୟଗଣ ଅତିଥି ଆସିବେ । ରାଜଧାନୀ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ସଫାସୁତୁରା ରଖାଯିବ । ତେଣୁ ଆଜି ଓ ଆସନ୍ତାକାଲି ଦୁଇଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲା ସଦର ମହକୁମା, ବିଶେଷ ଭାବେ ଡାକ୍ତରଖାନା, ରେଳଷ୍ଟେସନ୍, ବସ୍ଷ୍ଟାଣ୍ଡ, କୋର୍ଟ ପରିସର ଓ ସାଧାରଣ ସ୍ଥାନ ଗୁଡିକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ସୁପ୍ରଚାର ଓ ପ୍ରସାର ପାଇଁ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ତିନିଦିନ ଧରି ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ସାଂସ୍କୃୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଏସମସ୍ତ ସ୍ଥାନକୁ ପରିଦର୍ଶନରେ ଆସୁଥିବା ଅତିଥିମାନଙ୍କୁ ଉପସ୍ଥିତ ସାଧାରଣ ଜନତା ସ୍ୱାଗତ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାର୍ଟି ପକ୍ଷରୁ ବରିଷ୍ଠ ନେତୃବୃନ୍ଦଙ୍କୁ ଦାୟୀତ୍ୱ ବଂଟନ କରାଯାଇଛି ବୋଲି ବିଧାୟକ ଡ. ନାୟକ କହିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ, ହୁକିଟୋଲା ଦୀପ, ବତୀଘରରେ ଥିବା ଲାଇଟ୍ ହାଉସ,ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ମନ୍ଦିର, ଆଳିର ବରାହଜୀଉ ମନ୍ଦିର, ଗୁପ୍ତକ୍ଷେତ୍ର ସଖୀବଟ ଆଦି ପର୍ଯ୍ୟଟନସ୍ଥଳ ସହିତ କବାଟ ନଥିବା ଗାଁ ଶିଆଳି, କନିକା ରାଜପ୍ରସାଦ ପ୍ରଭୃତି ସ୍ଥାନ ପ୍ରବାସୀ ଭାରତୀୟମାନେ ବୁଲି ଦେଖିବାର ସମ୍ଭାବନା ରହିଛି ବୋଲି ବିଧାୟକ ଡ. ନାୟକ କହିଥିଲେ । ଏହି ପତ୍ରକାର ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ପୂର୍ବତନ ଜିଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ମିଡିଆ ସେଲ ଅଧ୍ୟକ୍ଷ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ବିଜେପି ପକ୍ଷରୁ ସାମ୍ବଦିକ ସମ୍ମିଳନୀ
