ତାପସ ଦାସ ମେମୋରିଆଲ ୨୯ତମ ନିମାପଡ଼ା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନିମାପଡ଼ା, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)-ତାପସ ଦାସ ମେମୋରିଆଲ ୨୯ତମ ନିମାପଡ଼ା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ନିମାପଡ଼ାର ସୁନାମଧନ୍ୟ କ୍ରିକେଟ ଖେଳାଳି ସ୍ବର୍ଗତଃ ତାପସ ଦାସଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ୨୯ତମ ନିମାପଡ଼ା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମାପଡ଼ା ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିଲା। ବାରବାଟୀ ପଡିଆ ମିନି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଭୁବନେଶ୍ୱର ଜୟଦେବ ସ୍ପୋର୍ଟିଂ ଏବଂ କଟକ ମାଷ୍ଟର୍ସ କ୍ଲବ ମଧ୍ୟରେ ଖେଳା ଯାଇଥିଲା। ରୋମାଞ୍ଚକର ମ୍ୟାଚରେ ମାଷ୍ଟର୍ସ କ୍ଲବ ୪ରନ୍ ରେ ବିଜୟୀ ହେବାସହ ପ୍ରଥମ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। କଟକ ମାଷ୍ଟର୍ସ କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୫ ଓଭରରେ ୧୦ ଉଇକେଟ ହରାଇ ୧୧୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଜୟଦେବ ସ୍ପୋର୍ଟିଂ ୭ଟି ଉଇକେଟ ହରାଇ ୧୧୦ ରନ୍ କରି ପରାଜୟ ବରଣ କରିଥିଲେ। ମାଷ୍ଟର୍ସ କ୍ଲବ ପକ୍ଷରୁ ଖେଳାଳି ବି. ଶୁଭ୍ରଦୀପ ସର୍ବାଧିକ ୪୩ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇ ଥିଲେ। ଉଦଘାଟନୀ ଉତ୍ସବରେ ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ, ଶିକ୍ଷାବିତ ଜଗତ ପ୍ରସାଦ ସାବୁତ, ପୂର୍ବତନ ନଗର ସଭାପତି ଜୀବନାନନ୍ଦ ମହାପାତ୍ର ଏବଂ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଯୋଗ ଦେଇଥିଲେ। ଦ୍ଵିତୀୟାର୍ଦ୍ଧରେ ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ। ଓ.ସି.ଏ ପ୍ୟାନେଲ ଅମ୍ପାୟାର ତ୍ରିଭୁବନ ନାଥ ଦାଶ ଓ ଦେବେନ୍ଦ୍ର ମିଶ୍ର ଆଜିର ମ୍ୟାଚ ପରିଚାଳନା କରିଥିଲେ। ନିମାପଡ଼ା ଆଥଲେଟିକ ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *