ନୂଆ ବର୍ଷରୁ କଟକ ସଦର ବିଜେଡ଼ି ର ନୂଆ ସମୀକରଣ, ବିଳାସ ଙ୍କୁ ନେଇ ଚର୍ଚ୍ଚା ଜୋର

କଟକ ସଦର, ୨୮/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ର ବିଧାୟକ ପ୍ରାର୍ଥୀ ଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ନିର୍ବାଚନ ହାରିବା ପରଠାରୁ ଆଜକୁ ୭ ମାସରୁ ଉର୍ଦ୍ଧ୍ଵ ହେବ ନିର୍ବାଚନ ମଣ୍ଡଳୀରୁ ମୁହଁ ଫେରାଇ ନେଇଥିବାରୁ କର୍ମୀ ମାନେ ବେସାହାରା ହୋଇପଡ଼ିଥିବା ଅଭିଯୋଗ ହୋଇଆସୁଥିଲା। ଏବେ କେବଳ ବାଧ୍ୟ ଵାଧକତାରେ ଗତ ୨୬ ତାରିଖ ଦିନ ନିର୍ବାଚନ ମଣ୍ଡଳୀର ଏକ କଣରେ ଅର୍ଥାତ୍ ମହାନଗର ନିଗମ ଅଞ୍ଚଳର ଶ୍ରୀକୋରୁଆ ଠାରେ ଚନ୍ଦ୍ର ସାରଥି ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରି ଫେରି ଯାଇଥିବା ଜଣାପଡିଛି। ହେଲେ ବିଜେଡ଼ି କର୍ମୀ ମାନଙ୍କ ବେସାହାରା କୁ ଉପଲବ୍ଧି କରି ଜଣାଶୁଣା ଯୁବ ସଂଗଠକ ତଥା ଯୁବ ବିଜେଡ଼ି ନେତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ କର୍ମୀ ମାନଙ୍କ ସୁଖ ଦୁଃଖରେ ଭାଗିଦାର ହେବା ପାଇଁ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି। ସେହିପରି ବିଳାସ ମଧ୍ୟ ସମାନ୍ତରାଳ ଭାବେ କିଶନନଗର ଠାରେ ବିଜେଡ଼ି କର୍ମୀ ଓ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଙ୍କୁ ନେଇ ପ୍ରତିଷ୍ଠା ଦିବସ ପାଳନ କରିଥିବା ଜଣାଯାଇଛି।ଏବେ ନୂଆ ବର୍ଷ ପାଇଁ ନିର୍ବାଚନ ମଣ୍ଡଳୀ ସାରା ମରାଯାଇଥିବା ଅଭିନନ୍ଦନ ପୋଷ୍ଟର ବ୍ୟାନର ରେ ବିଳାସ ଙ୍କ ସହିତ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ଫଟୋ ଥିବା ଦେଖିବାକୁ ମିଳୁଥିଲା ବେଳେ ଚନ୍ଦ୍ର ସାରଥିଙ୍କ ଫଟୋ ନଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ସବୁ ଦୃଷ୍ଟିରୁ ଆସନ୍ତା ନୂଆ ବର୍ଷ ଠାରୁ କଟକ ସଦର ବିଜେଡ଼ି ର ସମୀକରଣ ବଦଳିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *