ଯାଜପୁର, ୨୭/୧୨/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କୁମାର କର) -ବରୀ ବିଜୁ ଜନତା ଦଳ ପକ୍ଷରୁ କିମ୍ଭିରିଆପାଳ କଲ୍ୟାଣ ମଣ୍ଡପରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଜେଡି ନେତା କେଦାର ସାମଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରୀ ବିଧାୟକ ବିଶ୍ବରଞ୍ଜନ ମଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିଜୁବାବୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ସହ ନିଜ ପକ୍ଷରୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ଭାରତୀ ବିଶ୍ଵାଳ, ଗଣେଶ ଚନ୍ଦ୍ର ମହାକୁଡ଼, ପ୍ରାକ୍ତନ ସରପଞ୍ଚ ବଟକୃଷ୍ଣ ସାହୁ, ବୁଲୁ ଯାଦବ ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳ ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ କାର୍ୟ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ ।
ନିଜର ଅଭିଭାଷଣରେ ବିଶ୍ୱରଂଜନ ଆଜିର କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ କର୍ମୀ ଓ ପଦାଧିକାରୀ ମାନଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ସେ ସଦାସର୍ବଦା ବରୀବାସୀଙ୍କ ହକ ପାଇଁ ଲଢେଇ ଜାରି ରଖିବେ ଓ ବରୀ ବାସୀ ଯେପରି ତାଙ୍କୁ ଭଲପାଇବା ଦେଇଛନ୍ତି , ଠିକ ସେହିପରି ବରୀ ନିର୍ବାଚନ ମଣ୍ଡଳୀ ର ବ୍ୟାପକ ଉନ୍ନତି କୁ ପ୍ରାଥମିକତା ଦେବେ ।
ପୂର୍ବରୁ ଆମ ରାଜ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା , ନବୀନ ବାବୁ ଙ୍କ ସରକାର ଆସିଲା ପରେ ଆମକୁ ଆଉ ପର ଉପରେ ନିର୍ଭର କରିବାକୁ ପଡିନି । ଶିକ୍ଷା,ସ୍ୱାସ୍ଥ୍ୟ,କୃଷି ଓ ଗମନାଗମନରେ ଆଜି ରାଜ୍ୟର ପ୍ରତିଟି ଅଞ୍ଚଳରେ ଯାହା ଉନ୍ନତି ହେଇଛି ଏବେକାର ସରକାର ଖାଲି ରଙ୍ଗ ମାରି ବାହାବାହା ନେଉଥିବା କଥା ଶ୍ରୀ ମଲ୍ଲିକ କର୍ମୀ ଓ ଭୋଟରଙ୍କୁ ଅବଗତ କରାଇଥିଲେ ।
ଏହି ସରକାରର ସେବା ରେ ରାଜ୍ୟବାସୀ ଛନ୍ଦି ହୋଇଗଲେଣି , ଆଜି ସାଧାରଣ ପରିବାର ଚଳିବା ପାଇଁ ନାନାଦି ହଇରାଣ ହରକତ ହୋଇପଡିଲେଣି ବୋଲି ସେ ଅସନ୍ତୋଷ ପ୍ରକାଶ କରିଥିଲେ । ଆଳୁ ପାଇଁ ଏହି ସରକାର ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛି ଯାହାକି ବଡ଼ ହାସ୍ୟାସ୍ପଦ କଥା । ଆଗାମୀ ପଂଚାୟତ ନିର୍ବାଚନରେ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ପୁଣି ବରୀରେ ବିଜେଡି ବାଜିମାତ କରିବା ନେଇ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।
ବରୀରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ
