ଭୁବନେଶ୍ୱର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ । ଆଗାମୀ କେନ୍ଦ୍ର ବଜେଟ୍, 2025-26 ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଶ୍ରୀ ଶାଶ୍ଵତ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ୍, 2025-26 ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡିଶାର ମାନ୍ୟବରମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ସେଗୁଡିକ ନିମ୍ନରେ ପ୍ରଦତ୍ତ:
- ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା 2025-26 (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ;
- ଓଡିଶାରେ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା;
- ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଯଥାକ୍ରମେ ଗୋପାଳପୁର (ଲୁଣ ଖଳା) ଏବଂ ଝାରସୁଗୁଡା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ପାଇଁ ପ୍ରସ୍ତାବ;
- ଓଡିଶାରେ ନିବେଶ ପ୍ରୋତ୍ସାହନ ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା;
- ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ୧୦,୦୦୦ କୋଟିଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା;
- ଆସନ୍ତା ଗ୍ରୀଷ୍ମ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ପ୍ରକଳ୍ପ ସମାପ୍ତ କରିବା ଏବଂ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଜଳ ଜୀବନ ମିଶନ୍ (ଜେ.ଜେ.ଏମ୍.) ଅଧୀନରେ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା;
- ଓଡ଼ିଶାର ଲୋକମାନଙ୍କର ନୂତନ ସରକାର ଠାରୁ ଉଚ୍ଚ ଆଶା ପୂରଣ ଦିଗରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା;
- ଆସ୍ପିରେସନନାଲ ବ୍ଲକ୍ ପ୍ରୋଗ୍ରାମ୍ ଅନ୍ତର୍ଗତ ପୂର୍ବରୁ ଅନୁମୋଦିତ 29 ଟି ବ୍ଲକ୍ ବ୍ୟତୀତ ମୟୂରଭଞ୍ଜ ଏବଂ କେନ୍ଦୁଝରର ଜିଲ୍ଲାର ଅନ୍ୟ 11 ଟି ଅତିରିକ୍ତ ବ୍ଲକ୍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ।
ପରିଶେଷରେ,ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପିତ ସମସ୍ତ ଦାବି ଏବଂ ପରାମର୍ଶଗୁଡିକ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଲେ ।