ଟାଟା ପାୱାର ଗ୍ରାହକଙ୍କୁ ପ୍ରୋତ୍ସାହନ ପୁରସ୍କାର

ଆଠଗଡ଼,୨୦/୧୨/୨୦୨୪(ଓଡ଼ିଶା ସମାଚାର)- ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର(ଟିପିସିଓଡିଏଲ) ପକ୍ଷରୁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଅଭିନବ ଯୋଜନା କରାଯାଇଛି। ସଠିକ୍ ସମୟରେ ବିଦ୍ୟୁତ ଦେୟ ପୈଠ କରିବା, ବକେୟା ନ ରଖିବା ଏବଂ ଡିଜିଟାଲ ମୋଡ୍‌ରେ ଦେୟ ପୈଠ କରିବା ନେଇ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସେହିଭଳି ଗ୍ରାହକଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଲଟେରୀ କରାଯାଇ ମନୋନୀତ କରିବା ପରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି। ଆଠଗଡ଼ ଡିଭିଜନ ପକ୍ଷରୁ ଗୁରୁବାର ଏହିପରି ଲଟେରୀ ମାଧ୍ୟମରେ ମନୋନୀତ ୧୬ ଜଣ ଗ୍ରାହକଙ୍କୁ ପୁରସ୍କୃତ କରାଯାଇଛି। ସଂପୃକ୍ତ ୧୬ ଜଣ ଭାଗ୍ୟଶାଳୀ ବିଜେତା ବିଦ୍ୟୁତ ଗ୍ରାହକଙ୍କୁ ଗୋଟିଏ ଲେଖାଁଏ ସ୍ମାର୍ଟ ଫୋନ ଓ ଗୋଟିଏ ଉନ୍ନତ ରୋଷେଇ ବାସନ ସେଟ୍ ପ୍ରଦାନ କରାଯାଇଛି। ଆଠଗଡ଼ ଡିଭିଜନ ଗ୍ରାହକ ସେବା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁ, ଗ୍ରାହକ ସେବା ଅଧିକାରୀ ଆଶିଷ ଶର୍ମା ଓ ଡିଭିଜନର ଅନ୍ୟ ଅଧିକାରୀ ଉପସ୍ଥିତ ରହି ସଂପୃକ୍ତ ଗ୍ରାହକଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଯୋଜନାର ସୁଫଳ ପାଇବା ଲାଗି ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଆଗ୍ରହ ବଢୁଥିବା ଦେଖାଯାଉଛି ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *