ଭୁଟାନକୁ ରପ୍ତାନୀ ହେଲା ଇଞ୍ଜିନିୟରିଂ ଉପକରଣ

#     ସଡ଼କପଥରେ ରପ୍ତାନୀ ହେଲା ସର୍ବାଧିକ ଓଜନ ଏବଂ ପରିମାଣର ଇଞ୍ଜିନିୟରିଂ ଉପକରଣ

#     ବିଶ୍ୱସ୍ତରୀୟ ଉପକରଣ ପ୍ରସ୍ତୁତ କରିବାରେ ଓଡ଼ିଶା ନିଜର ସ୍ୱାତନ୍ତ୍ର‌୍ୟ ପ୍ରତିଷ୍ଠା କରିଛି : ମନ୍ତ୍ରୀ

#     ରପ୍ତାନୀ ଲାଗି ଏହା ଅଧିକ ପ୍ରୋତ୍ସାହନ ସୃଷ୍ଟି କରିବ : ପ୍ରମୁଖ ଶାସନ ସଚିବ

#    ଇଷ୍ଟ୍ ଏଣ୍ଡ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରୁ ତିଆରି ହୋଇଛି  ଏହି ଉପକରଣ

ଭୁବନେଶ୍ୱର, ୦୪/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପଡ଼ୋଶୀ ରାଷ୍ଟ୍ର ଭୁଟାନକୁ ସଡ଼କ ପଥରେ  ରପ୍ତାନୀ ହୋଇଛି ସର୍ବାଧିକ ଓଜନ ଏବଂ ପରିମାଣର ଇଞ୍ଜିନିୟରିଂ ଉପକରଣ । ଭୁବନେଶ୍ୱର ଶିଳ୍ପ ଉଦ୍ୟୋଗୀ ସଂଘ ସହଯୋଗରେ ଓଡ଼ିଶାରୁ ଭୁଟାନକୁ ରପ୍ତାନୀ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଂଚେଶ୍ୱରଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, “ଓଡ଼ିଶା ପାଇଁ ଏହା ଏକ ଗୌରବମୟ ମୁହୂର୍ତ୍ତ । ମେକ୍ ଇନ୍ ଇଣ୍ଡିଆ ଯୋଜନା ଅଧୀନରେ ବିଶ୍ୱସ୍ତରୀୟ ଉପକରଣ ପ୍ରସ୍ତୁତ କରିବାରେ ଓଡ଼ିଶା ନିଜର ସ୍ୱାତନ୍ତ୍ର‌୍ୟ ପ୍ରତିଷ୍ଠା କରିଛି ।“ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦେଶକୁ ଏମ୍‌ଏସ୍‌ଏମ୍‌ଇରୁ ପ୍ରସ୍ତୁତ ଇଞ୍ଜିନିୟରିଂ ଉପକରଣ ରପ୍ତାନୀ କରିବା ଲାଗି ଅଧିକ ପ୍ରୋତ୍ସାହନ ସୃଷ୍ଟି ହେବ । ଅଧିକରୁ ଅଧିକ ରପ୍ତାନୀ କରିବା ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ବିଭାଗ ସର୍ବଦା ପ୍ରସ୍ତୁତ ରହିଛି । ଆଗାମୀ ଦିନରେ ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଉପକରଣ ରପ୍ତାନୀ କରି ପୁଣି ନୂଆ କୃତିତ୍ୱର ମାଇଲଖୁଂଟ୍ ପ୍ରତିଷ୍ଠା କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

ଏହି କାର୍ଯ୍ୟକ୍ରମରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ, ଉପାଧ୍ୟକ୍ଷ ଜେ.କେ. ରଥ, ୟୁ.ସି.ସି.ଆଇର ସଚିବ ସଞ୍ଜୀବ ମହାପାତ୍ର, ଏଆଇଇବିଏର ଉପାଧ୍ୟକ୍ଷ ସୁବୀର ବାନାର୍ଜୀ, ବି.କେ. ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିଳ୍ପପତି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଉତ୍କଳ ଚାମ୍ବର ଅଫ୍ କମର୍‌ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ଅନ୍ୟତମ ସଭ୍ୟ ଭୁବନେଶ୍ୱର ଶିଳ୍ପ ଉଦ୍ୟୋଗୀ ସଂଘର ସହାୟତାରେ ଆଜିର କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । କଟକ ଚୌଦ୍ୱାରସ୍ଥିତ ଇଷ୍ଟ୍ ଏଣ୍ଡ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଏହି ଉପକରଣ ତିଆରି କରିଛି  । ୨୦୦୭ ମସିହାଠାରୁ ଦେଶ ତଥା ଦେଶ ବାହାରେ ବିଭିନ୍ନ କମ୍ପାନୀକୁ ଏହା  ଉପକରଣ ଯୋଗାଇ ଆସୁଛି ।

Leave a Reply

Your email address will not be published. Required fields are marked *