ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ନିର୍ମାଣ ସ୍ଥାୟିତ୍ୱ ବୃଦ୍ଧି ପାଇଁ ଇଂଜିନିୟରମାନେ କାର୍ଯ୍ୟ କରନ୍ତୁ:ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୦୨/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ଟେକ୍ନୋଲୋଜିକୁ ବ୍ୟବହାର କରି ବହୁ ଅସାଧ୍ୟ କାର୍ଯ୍ୟକୁ ସହଜ ଓ ସରଳ ଢଙ୍ଗରେ ସମ୍ପୂର୍ଣ୍ଣ କରିହେଉଛି । ଇଂଜିନିୟରମାନେ ହେଉଛନ୍ତି ଆଧୁନିକ ଯୁଗର ବିଶ୍ୱକର୍ମା । ତେଣୁ ବର୍ତ୍ତମାନ ଯୁଗର ବିଶ୍ୱକର୍ମାମାନେ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଆଗେଇ ନିଅନ୍ତୁ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ନିମନ୍ତେ ନୂତନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଓଡ଼ିଶାର ପ୍ରଗତିକୁ ତ୍ୱରିତ ଢଙ୍ଗରେ ଆଗେଇ ନେବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ଦିଗରେ ଇଂଜିନିୟରମାନେ ଜଣେ ଜଣେ ପ୍ରମୁଖ ଅଂଶୀଦାର । ଆବଶ୍ୟକତାକୁ ଚାହିଁ ନକ୍ସା ପ୍ରସ୍ତୁତ ସହ ନିର୍ମାଣର ସ୍ଥାୟିତ୍ୱ ବୃଦ୍ଧି ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଆଧୁନିକ ଜ୍ଞାନକୌଶଳର ଭରପୂର ଉପଯୋଗ ପାଇଁ ତାଲିମ ଶିବିରରୁ ଶିକ୍ଷା ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୁବ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ ।
ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ କହିଲେ ଯେ ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କାର୍ଯ୍ୟର ପରିସର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ନିୟମିତ କ୍ଷେତ୍ର ପରିଦର୍ଶନ ସହ ଆବଶ୍ୟକତା ଅନୁସାରେ ଡି.ପି.ଆର୍ ପ୍ରସ୍ତୁତି ଉପରେ ଇଂଜିନିୟରମାନେ ଧ୍ୟାନ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଶିକ୍ଷଣ ଶିବିରରୁ ଜ୍ଞାନ ଆହରଣ କରିବା ସହ ନିର୍ମାଣ କାର୍ଯ୍ୟକୁ ସରସସୁନ୍ଦର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇଆଇସି(ସିଭିଲ୍) ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଇଆଇସି (ୱାର୍କସ) ଶ୍ରୀ ପ୍ରଦୀପ କୁମାର ଜେନା, ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା ଏବଂ ପୂର୍ତ୍ତ ବିଭାଗ ଯୁଗ୍ମଉପଦେଷ୍ଟା ଶ୍ରୀ ଜୟକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ୪୨ ଜଣ ଇଂଜିନିୟର ଯୋଗଦେଇଥିଲେ ।
-0-
ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ