ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ‘ସୁରେଶ ସୃଜନ ସମ୍ମାନ’
ଭୁବନେଶ୍ୱର, ୦୨/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଅସ୍ମିତାର ଅନେ୍ୱଷଣ ଓ ପ୍ରସାର ଦିଗରେ ସବୁ ସଚେତନ ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ । ସାଂସ୍କୃତିକ ଅବକ୍ଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ଦରକାର ବୋଲି ବିଧାୟକ ବାବୁ ସିଂ କହିଛନ୍ତି । ବିଶିଷ୍ଟ ନାଟ୍ୟକାର, ସଂସ୍କୃତି ଗବେଷକ, ନିର୍ଦ୍ଦେଶକ ଓ ସଂଗ୍ରାହକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଆୟୋଜିତ ସୁରେଶ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସରକାର ସବୁମତେ ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ରେଡ୍କ୍ରସ୍ ଭବନରେ ଅନୁଷ୍ଠିତ ‘ସୁରେଶ ସମାବେଶ’ରେ ଅତିଥିମାନେ ସୁରେଶ ବଳବନ୍ତରାୟ ଓଡ଼ିଶାରେ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଥିଲେ ବୋଲି ଜଣାଇ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିଥିଲେ । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ନାଟ୍ୟକର୍ମୀ ତଥା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ବକ୍ତବ୍ୟ ରଖି ସୁରେଶ ବଳବନ୍ତରାୟଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ନାଟ୍ୟକାର ତଥା ଲୋକସଂସ୍କୃତି ଗବେଷକ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ଏହି ଅବସରରେ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ବିଶ୍ୱମୁକ୍ତି ପବ୍ଲିକେସନ୍ ପ୍ରକାଶିତ ସ୍ୱର୍ଗତ ବଳବନ୍ତରାୟଙ୍କ ଅନୂଦିତ ନାଟକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପ୍ରକାଶକ ସୁଧୀର ମଉଡ଼ମଣି ଉପସ୍ଥିତ ଥିଲେ । କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଫାଉଣ୍ଡେସନ୍ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିବାବେଳେ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ଅଧ୍ୟାପକ ବିଶ୍ୱରଞ୍ଜନ, ନାଟ୍ୟଚେତନା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ସମେତ ବହୁ ଲେଖକ, ଶିଳ୍ପୀ, ଗବେଷକ, ବୁଦ୍ଧିଜୀବୀ ଓ ନାଟ୍ୟକର୍ମୀ ସମବେତ ହୋଇଥିଲେ ।
-0-
ସୂର୍ଯ୍ୟ ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ