ଜଗତସିଂହପୁର,୦୧/୧୨/୨୦୨୪ (ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ବିଶ୍ୱ ଏଡ଼ସ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଉକ୍ତ ରାଲିରେ ରେଡକ୍ରସ ୟୁଥ ରାଜ୍ୟ ସଂଯୋଜକ, ସ୍କାଉଟ, ଏନ.ସି.ସି. ଏସ.କେ.ଏକାଡେମୀ ଓ ଷ୍ଟାଫମାନେ ଯୋଗଦେଇ ଡାକ୍ତରଖାନା ପରିସରରୁ କଲେଜଛକ ପର୍ଯ୍ୟନ୍ତ ପ୍ଲାକାର୍ଡ ଓ ସ୍ଲୋଗାନ ରସହ ସଚେତନତା ନିମନ୍ତେ ପଦକ୍ଷିଣ କରିଥିଲେ । ରାଲି ପରେ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହିକାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲ।। ମୁଖ୍ୟବକ୍ତା ଗୋପାଳଚନ୍ଦ୍ର ମିଶ୍ର ୟୁଥ ରେଡକ୍ରସ ରାଜ୍ୟ ସଂଯୋଜକ ଏଡ୍ସର ଭୟାବହତା ଓ ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମାଜ ପାଇଁ କଣ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀୟ ଅତିଥି ଶୀଯୁକ୍ତ ରାଇଚରଣ ତ୍ରିପାଠୀ,ଚିଫଏନ.ସି.ସି. ଅଫିସର, ଶୀଯୁକ୍ତ ପ୍ରତାପ ଚନ୍ଦ୍ର ରାଉତରାୟ ଶିକ୍ଷକ ସ୍କାଉଟଏସ.କେ.ଏକାଡେମୀ ଜଗତସିଂହପୁର, ଶୀଯୁକ୍ତ ତ୍ରିଲୋଚନ ସାହୁ ଜ଼ିଲ୍ଲା ରେଡକ୍ରସ ଅଫିସର ଏଡ୍ସ ବିଷୟରେ ନିଜନିଜର ଅଭିଭାଷଣ ରଖିଥିଲେ ।
ରାଷ୍ଟ୍ରର ଏକ ସଚେତନ ନାଗରିକ ଭାବେ ଆମର କର୍ତ୍ତବ୍ୟ ନିଜେ ଜାଣିବା ସହ ଅନ୍ୟମାନଙ୍କୁ ଜଣେଇବା । ଅସୁରକ୍ଷିତ ଯୌନସମ୍ପର୍କ, ଅଶୋଧିତ ଛୁଞ୍ଚି ଓ ବ୍ଲେଡ, ରକ୍ତର ବ୍ୟବହାର,ଗର୍ଭବତୀ ମାଆ ଠାରୁ ଶିଶୁକୁ, ତଥା ଯଦି ନିଶାସକ୍ତ ଲୋକମାନେ ଗୋଟେ ସିରିଞ୍ଜ ଓ ଛୁଞ୍ଚି ବ୍ୟବହାର କରନ୍ତି ତାହେଲେ ଏହି ରୋଗ ସଂକ୍ରମିତ ହୋଇପାରେ ବୋଲି ରେଡକ୍ରସ ଅଫିସର କହିଥିଲେ। ତେଣୁ ସେମାନେ ସଚେତନ ହେବା ଉଚିତ। ଏହା ଛଡା ଏହି ରୋଗ ସମ୍ବନ୍ଧୀୟ ଭ୍ରମ ଧାରଣାକୁ ମଧ୍ୟ ଦୂର କରଯାଇଥିଲା, ଯେପରି ମଶା କାମୁଡ଼ିଲେ, ଏଚ.ଆଇ. ଭି. ସଂକ୍ରମିତ ବ୍ୟକ୍ତିଙ୍କ ଯତ୍ନନେଲେ, ତା ସହ ଖାଇଲେ, ଗୋଟେ ରୁମରେ ରହିଲେ, ଶୌଚାଳୟ ବ୍ୟବହାର କଲେ ଏହା ବ୍ୟାପିନଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଥିଲେ।ଜ଼ିଲ୍ଲା କାଉନସେଲର ବିଜୟଲକ୍ଷ୍ମୀ ସାମଲ ଆମ ଜ଼ିଲ୍ଲାର ଏଡ୍ସରେ ବର୍ତ୍ତମାନର ସ୍ଥିତି ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଜ଼ିଲ୍ଲାରେ ଥିବା ଟେଷ୍ଟିଙ୍ଗ ଓ କାଉନ୍ସେଲିଂ କେନ୍ଦ୍ରରେ ଦିଆଯାଉଥିବା ସେବା ବିଷୟରେ ଅବଗତ କରାଇଥିଲେ। ଡେପୁଟୀ ମ୍ୟାନେଜର ସୁକାନ୍ତ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା ଓ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଲାଇଟ ଶ୍ରଦ୍ଧାଞ୍ଜଳୀ, ଯାହାକି ଯେଉଁମାନେ ଏହି ଏଡ୍ସରେ ଶିକାର ହୋଇ ଅଜାଣତରେ କିମ୍ବା ସାମାଜିକ କୁସଂସ୍କାରର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ,ସେମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା । ଉକ୍ତ ସଭାରେ ଜ଼ିଲ୍ଲାସ୍ତରରୁ ଜଗତସିଂହପୁରର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ମହିଳା ଆରୋଗ୍ୟ ସମିତିର ସଭ୍ୟମାନଙ୍କସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।