ବାହାର ରାଜ୍ୟର ଧାନ ଗାଡି ଉପରେ ନଜର

ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର, ୨୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାରେ ୧୦ଟି ସ୍କ୍ୱାଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ୨୧ଟି ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ୮୪ଟି ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି । ପର୍ଯ୍ୟାୟକ୍ରମେ ଆହୁରି ଅଧିକ ସ୍କ୍ୱାଡ଼କୁ ଧାନ କିଣା ବେଳେ ସମ୍ପୃକ୍ତ ଜିଲ୍ଲାରେ ମୁତୟନ କରାଯିବ ।  ସେମାନେ ସୀମାବର୍ତ୍ତୀ ରାଜ୍ୟରୁ ଧାନନେଇ ଆମ ରାଜ୍ୟ ମଧ୍ୟକୁ ଆସୁଥିବା ଗାଡି ଉପରେ ନଜର ରଖିବେ । ମଣ୍ଡିରୁ ମିଲସ ଓ ଡିପୋକୁ ଯାଉଥିବା ଗାଡି ମଧ୍ୟ ସେମାନଙ୍କ ନଜରରେ ରହିବ । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ନିୟୋଜିତ ଅଧିକାରୀ ଓ ସେମାନଙ୍କ ଯୋଗାଯୋଗ ବ୍ୟବସ୍ଥା ଉପରେ ସେହି ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ ।

ଟୋକନ ପ୍ରାପ୍ତ ଚାଷୀମାନେ ମଣ୍ଡିକୁ ଆସି ସେମାନଙ୍କ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା କରିଵା ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *