ଭୁବନେଶ୍ୱର,୧୪/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲାର ୧୦ଗୋଟି ବ୍ଲକର ୧୯୦ଗୋଟି ଗ୍ରାମ ପଂଚାୟତ ମାନଙ୍କରେ ମୋଟ ୧୪୯ଜଣ ପିଅନ, ୧୯ଜଣ ରାତ୍ର ଜଗୁଆଳୀ ଓ ୭ଜଣ ସୁଇପର ମାନଙ୍କୁ ନେଇ ଏକ ଜିଲାସ୍ତରୀୟ ସାଧାରଣ ପରିଷଦ ବୈଠକ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟ ମା’ ବାଟମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଜିଲା ସଭାପତି ରାଜେଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ ୧୦ଗୋଟି ଦାବି ଉପସ୍ଥାପନ କରାଯାଇଛି ଯଥା-ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ସମାନ କାମକୁ ସମାନ ଦରମା, ଓଡ଼ିଶା ଗ୍ରାମ ପଂଚାୟତ ନିୟମ ୧୨୫/୨୦୧୪ ମସିହା ଓ ୧୯୬୪ ମସିହା ୧୨୩ ଆଇନକୁ ତୁରନ୍ତ ସଂଶୋଧନ କରି ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବା, ପଂଚାୟତିରାଜ ବିଧିବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ପଂଚାୟତିରାଜ ବିଭାଗର ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ ସିଷ୍ଟମରେ କର୍ମଚାରୀମାନଙ୍କ ସବିଶେଷ ତଥ୍ୟ ଅପଲୋଡ଼ କରିବା, ଶିକ୍ଷାଗତ ଯୋଗ୍ୟତା ଭିତିରେ ପଦୋନ୍ନତି ଦେବା, ଶ୍ରମ ଓ ନିୟୋଜନ ବିଭାଗର କ୍ୟାଟାଗୋରୀରେ ସାମିଲ୍ କରିବା ସହିତ ଦୈନିକ ସର୍ବନିମ୍ନ ମଜୁରି ୩୫୨ ଟଙ୍କାରୁ କମ୍ ହେଉନଥିବା ଏକ ଷ୍ଟାଣ୍ଡିଂ ଅର୍ଡ଼ର ପଂଚାୟତିରାଜ ବିଭାଗରୁ ପ୍ରତ୍ୟେକ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ପଠାଇବା, ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ ବ୍ୟବସ୍ଥା କରିବା ସହିତ କର୍ମଚାରୀର ମୃତୁ୍ୟ ଅନ୍ତେ ତାର ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ଦେବା ଓ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ମୃତୁ୍ୟ ଅନ୍ତେ ସରକାରଙ୍କ ଠାରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ଭଳି ଦାବି ସହିତ ବିଗତ ଦିନମାନଙ୍କରେ ଗ୍ରାମ ସମ୍ପାଦକମାନଙ୍କୁ ଯେଉଁ ଗ୍ରାଉଣ୍ଡରେ ସରକାରୀ ଅନୁଦାନ ଦେଇଥିଲେ, ସେହି ପଦ୍ଧତିରେ ଏମାନଙ୍କୁ (ଏକ୍ସବଦ୍ଭଗ୍ଧ-ସଦ୍ଭ-ଇସୟ) କର୍ମଚାରୀ ସହାୟତା ଅନୁଦାନ ପ୍ରଦାନ କରିବା ଭଳି ଦାବିଗୁଡ଼ିକ ରାଜ୍ୟ ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ୫-ଟି ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ମାନ୍ୟବର ମନ୍ତ୍ରୀ ପଂଚାୟତିରାଜ ବିଭାଗ, ଆଇନ, ଶ୍ରମ ଓ ଅର୍ଥ ବିଭାଗ ମନ୍ତ୍ରୀ ମହୋଦୟ, ସାଂଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ତଥା ପ୍ରଣବ ପ୍ରକାଶ ଦାସ ଯାଜପୁର ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ, ନିର୍ଦ୍ଧେଶକ ମହୋଦୟଙ୍କ ନିକଟରେ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି ।
ପ୍ରକାଶଥାଉକି, ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ ମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ବିଭିନ୍ନ ବିଭାଗ ଅଫିସ ମାନଙ୍କରେ ସ୍ଥାୟୀ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୀର୍ଘ ବର୍ଷ ଧରି ଭବିଷ୍ୟତରେ ସରକାରୀ ଅନୁଦାନ ପାଇବା ଆଶା ରଖି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ସକାଳ ୧୦ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ପଂଚାୟତ ଅଫିସ୍ ଖୋଲା ରଖି ପଂଚାୟତ ଅଧିବାସୀମାନଙ୍କୁ ନିରନ୍ତର ସେବା ପ୍ରଦାନ କରୁଛନ୍ତି । ହେଲେ ଏମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ଅନୁଦାନ ଟଙ୍କା କିଛି ମିଳୁନାହିଁ । ଭାରତ ସ୍ୱାଧୀନ ହେଲାଣି ୭୫ବର୍ଷ । ଏ ବାବଦରେ ସଂଘ ପକ୍ଷରୁ ବହୁବାର (ଶାସନ ଓ ପ୍ରଶାସନ) ନିକଟରେ ଗୁହାରୀ କରାଯାଇଅଛି । ତତ୍ସହିତ ଏବେ ୫-ଟି ଅଧ୍ୟକ୍ଷ ବିଭିନ୍ନ ଜିଲା ଗ୍ରସ୍ତ ସମୟରେ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ଦାବି ଅଭିଯୋଗ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ଏବଂ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ମଧ୍ୟ ଦାବି ସ୍ମାରକପତ୍ର ଦିଆଯାଇଅଛି । କିନ୍ତୁ ଏପର୍ଯ୍ୟନ୍ତ ହେଲା ସରକାରୀସ୍ତରରେ ଘୋଷଣା କରିନଥିବା ଯୋଗୁଁ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି ବୋଲି ରାଜ୍ୟ ସଂଘ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ମତ ପ୍ରକାଶ କରିଛନ୍ତି । ଏଣୁ ସରକାର ଶୁଭଦୃଷ୍ଟି ଦେଇ ଶୀଘ୍ର ଏହି କର୍ମଚାରୀମାନଙ୍କୁ ସରକାରୀ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସରକାରୀ ଅନୁଦାନ ବ୍ୟବସ୍ଥା ପ୍ରଦାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀତୁଣ୍ଡରେ ଘୋଷଣା କରିବା ନିମନ୍ତେ ଆଜିର ବୈଠକରେ ଉପସ୍ଥିତ କର୍ମଚାରୀମାନେ ଦାବି ଉପସ୍ଥାପନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କର ସାଥି । ତେଣୁ ସଂଘ ଆଶା କରିଛି ନିଶ୍ଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ଦୁଃଖ ବୁଝିବେ । ୬୭୯୪ ଗ୍ରାମ ପଂଚାୟତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସପରିବାରବର୍ଗ ନିଶ୍ଚିତ ଖୁସି ହେବେ । ଏହି ବୈଠକରେ ଜିଲା ସଂଘର ବିିଭିନ୍ନ ଗ୍ରାମ ପଂଚାୟତରୁ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ । ଜିଲା ସମ୍ପାଦକ ନାରାୟଣ ବେହେରା, କୃପାସିନ୍ଧୁ ବାରିକ, କ୍ଷୀରୋଦ ବେହେରା, ପାର୍ବତୀ ସ୍ୱାଇଁ, ଚନ୍ଦନ ମହାପାତ୍ର, ଅରୁଣ ପଲେଇ, ବ୍ରହ୍ମଚାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲା ସରପଂଚ ସଂଘର ସଭାପତି ବିଷ୍ଣୁ ପ୍ରସାଦ ଡ଼େଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ କୁସୁମାଟି ଛଣଘର ସରପଂଚ ଶ୍ରୀମତୀ ସୁବାସିନୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।