କେନ୍ଦ୍ରାପଡ଼ା, ୧୪/୧୨/୨୦୨୩ (ଓଡ଼ିଶା ସମାଚାର)- ଓଡିଶା ଉର୍ଦ୍ଧୁ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ତିନି ଦିନିଆ ଉର୍ଦ୍ଧୁ ଶିକ୍ଷକ ତାଲିମ ଶିବିର ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରକୁ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଏଥିରେ ୯୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଓଡିଶା ବାହାରୁ ଆସିଥିବା ଦକ୍ଷ ସାଧନା କର୍ମୀ ମିଶ୍ୱହା ଅଞ୍ଜୀମ ଓ ମୋଇଜ୍ଜ୍ଙ୍କ ସମେତ କେନ୍ଦ୍ରାପଡା ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଏବଂ ଜିଲା ସାଧନକର୍ମୀ ମହମ୍ମଦ ଅସଗର ଅଲ୍ଲୀ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଉର୍ଦ୍ଧୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଉର୍ଦ୍ଧୁ ଶିକ୍ଷା ସହିତ ଅତ୍ୟାଧୁନିକ ଜ୍ଞାନ କୈାଶଳର ଉପଯୋଗ କରି କିପରି କୁନି କୁନି ପିଲାମାନଙ୍କୁ ଶିକ୍ଷାଦାନ କରାଯାଇପାରିବ ଏବଂ ଭାଷା ଜ୍ଞାନର ମୈାଳିକ କୌଶଳ ହାସଲ କରିବେ ସେ ସମ୍ପର୍କରେ ଧାରଣା ଦେଇଥିଲେ । ଡଃ. ବ୍ରହ୍ମା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ କାର୍ଯ୍ୟ ମାଧ୍ୟମରେ ଶିକ୍ଷାର ଉପଯୋଗୀତା ଏବଂ ଉର୍ଦ୍ଧୁ ଭାଷାରେ ମୈାଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଓଡିଶା ବାହାରୁ ଆସିଥିବା ସାଧନକର୍ମୀମାନେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଆନନ୍ଦଦାୟୀ ଶିକ୍ଷା ଓ ଶିକ୍ଷାଦାନରେ ଉପକରଣର ଉପଯୋଗୀତା ବିଷୟରେ ବିଶେଷ ଧାରଣା ଦେଇଥିଲେ । ଉଦଯାପନୀ ଉତ୍ସବରେ ପୌରପାଳିକାର ଉପାଧ୍ୟକ୍ଷା ଆକବରୀ ଖାତୁନ ମୁଖ୍ୟଅତିଥି ଏବଂ ଉର୍ଦ୍ଧୁ ପାଠାଗାରର ଉପାଧ୍ୟକ୍ଷ ମହମ୍ମଦ ବଦ୍ରୁଜ ଜମାନ, ରାଜ୍ୟ ଉର୍ଦ୍ଧୁ ଏକାଡେମୀର ସମ୍ପାଦକ ମୁସିର ଆଲମ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡାର ସାଧନ କେନ୍ଦ୍ର ସଂଯୋଜକ ଅଚୁ୍ୟତାନନ୍ଦ ସାମଲ, ମହମ୍ମଦ ଗୟାସୁଦ୍ଧିନ, କିଶୋର ଚନ୍ଦ୍ର ଜେନା ପ୍ରମୁଖ କାର୍ଯୟକ୍ରମ ପରିଚାଳନା କରିଥିଲେ । ଉର୍ଦ୍ଧୁ ଶିକ୍ଷକ ମୀର ଅକ୍ତର ଅଲ୍ଲୀ, ସେଖ୍ ବର୍କତୁଲ୍ଲା, ସାୟେଦା ସୁହେଲ ଅକ୍ତର, ସେକ ମନ୍ସୁର ଅଲ୍ଲୀ, ମହମ୍ମଦ ଖଲିଲୁର, ମହମ୍ମଦ ଜାହାଙ୍ଗିର, ମହମ୍ମଦ ଫାରୁକ, ସେକ ଲିଆକତ, ସେକ ଫକିରୁଦ୍ଧିନ, ମିର ମହମ୍ମଦ ତବ୍ରେଜ, ମୀର ଅମିରୁଳହା, ମହମ୍ମଦ ଇବ୍ରାହିମ, ମିର ରୁଜୁଆନ ପ୍ରମୁଖ ସାଧନକର୍ମୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ।