ଆୟୋଗକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ -ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

#       ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

#       ଏ ବର୍ଷର ଥିମ – ‘ସ୍ପନ୍ଦନ : ବିକଶିତ ଶିଶୁ ବିକଶିତ ଓଡ଼ିଶା’

#       ଯୌନ ଉତ୍ପୀଡନର ପ୍ରଥମ ଉଦ୍ୟମକୁ କରିବା ନା – ଶିଶୁମାନଙ୍କୁ ପରାମର୍ଶ ଦେଲେ ଶ୍ରୀମତୀ ପରିଡା

#       ଶିଶୁମାନଙ୍କ ସୁରକ୍ଷା ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି

ଭୁବନେଶ୍ୱର, ୦୧/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱରସ୍ଥିତ କିଟ୍‌ କ୍ୟାମ୍ପସ-୫ ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି । ଆୟୋଗକୁ ଶକ୍ତିଶାଳୀ କରିବାକୁ ସମସ୍ତ ପ୍ରଚେଷ୍ଟା କରାଯିବ ସହ ହେଲପଲାଇନ ନମ୍ବରକୁ ଗାଁ ଗାଁରେ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି। ଯୌନ ଉତ୍ପୀଡନର ପ୍ରଥମ ପ୍ରୟାସକୁ ହିଁ ବିରୋଧ କରିବ ବୋଲି ଶ୍ରୀମତୀ ପରିଡା ଛୋଟ ଛୋଟ ଶିଶୁମାନଙ୍କୁ ପରାମର୍ଶ ଦେଇଛନ୍ତି । ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଭଳି ଆହ୍ୱାନକୁ ସାମ୍‌ନା କରିବା ପାଇଁ ସରକାରଙ୍କ ସହ ସମାଜସେବୀ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ ବୋଲି ସେ ମତପ୍ରକାଶ କରିଛନ୍ତି ।

          ପରସ୍ପର ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ଦ୍ୱାରା ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଦୃଢ ଆଶା କରିଛନ୍ତି । ସେ କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଉଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ପୋଲିସ ଆଇଜି ଶ୍ରୀମତୀ ସାଇନି. ଏସ ଶିଶୁ ସୁରକ୍ଷା ପ୍ରତି ପୋଲିସର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ ।

          ଏହି କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ନିଜ ଅଭିଭାଷଣରେ ଶିଶୁମାନଙ୍କ ସୁରକ୍ଷା ପ୍ରତି ଆୟୋଗର ଆଭିମୁଖ୍ୟକୁ ଉପସ୍ଥାପନା କରିଥିଲେ । ରାଜ୍ୟର କୌଣସି ବି ସ୍ଥାନରେ ପିଲାମାନେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ଏହି ଦେୟମୁକ୍ତ ନମ୍ବର(୧୮୦୦-୩୪୫-୪୪୯୪)ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମତୀ କର । ଏହି ନମ୍ବର ସକାଳ ୧୦ ଟା ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ଏହି କାର୍ଯ୍ୟକ୍ରମରେ ୟୁନିସେଫ ରାଜ୍ୟ ମୁଖ୍ୟ ମିଷ୍ଟର ୱିଲିୟମ ହାନଲୋନ ଜୁନିଅର ମଧ୍ୟ ଉପସ୍ଥିତ ଥିଲେ ।

          ବହୁ ବାଲ୍ୟବିବାହକୁ ସଫଳ ଭାବେ ରୋକିଥିବା ଦୁଇ କିଶୋରୀ ଯୋଦ୍ଧା ସମ୍ବଲପୁର ଜିଲ୍ଲାର ଅନାମିକା ଓରାମ ଓ ଗଞ୍ଜାମ ଜିଲ୍ଲାର ଆଶା ସାହୁ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଏହି ଦୁଇ କିଶୋରୀ ଯୋଦ୍ଧାଙ୍କ ସହ ବଲାଙ୍ଗିର ଜିଲ୍ଲାର ବୈଷ୍ଣବୀ ଧାରୁଆ ଜଗତସିଂହପୁରର ନନ୍ଦିନୀ ପ୍ରମୁଖକୁ ସମ୍ବର୍ଦ୍ଧିତ କରାଗଲା । ଏହା ସହ ସାମଗ୍ରିକ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ଜିଲ୍ଲା ଭାବେ ମୟୂରଭଞ୍ଜକୁ ଓ ଶ୍ରେଷ୍ଠ ଲିଗାଲ ସର୍ଭିସ ପାଇଁ ଯାଜପୁର ଜିଲ୍ଲାକୁ ସମ୍ମାନିତ କରାଯାଇଛି । ନିଖୋଜ ପିଲାମାନଙ୍କର ଉଦ୍ଧାର ଓ ଥଇଥାନ ପାଇଁ ଶ୍ରୀ ସନ୍ତୋଷ ପାତ୍ର, ଡିସିପି ଓ ଶ୍ରୀମତୀ ବନିତା ମହାରଣା, ଇନ୍ସପେକଟରଙ୍କ ସହ ଶିଶୁ ସୁରକ୍ଷା ପାଇଁ କର୍ମରତ ବହୁ ସରକାରୀ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *