ଜିଲା ସ୍ତରୀୟ ଖରିଫ ଧାନ ସଂଗ୍ରହଣ – ୨୦୨୩-୨୪ ବର୍ଷ ପାଇଁ ପ୍ରଶାସନିକ ବୈଠକ

ଚାଷୀମାନେ ଧାନ ମଣ୍ଡି ପଂଚାୟତ କୃଷି ସମବାୟ ସମିତି ଏବଂ ନିୟନ୍ତ୍ରିତ ବଜାର କମିଟି କୈାଣସି ଠାରେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି – ଜିଲାପାଳ ଶ୍ରୀ ରାଠୋର

ଯାଜପୁର,୧୫/୧୧/୨୦୨୩ (ଓଡ଼ିଶା ସମାଚାର)-ଚାଷୀମାନେ ରାଷ୍ଟ୍ରର ମେରୁଦଣ୍ଡ । ଅର୍ଥନୈତିକ ଅଭିବୃଦ୍ଧିରେ ଚାଷୀ ଓ କୃଷକ ମାନଙ୍କର ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ ଅବଦାନ ରହିଛି । ଏଣୁ ଚାଷୀମାନେ ଧାନ ବିକ୍ରି କରିବା ସମୟରେ ଧାନ ମଣ୍ଡି, ପଂଚାୟତ କୃଷି ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟି ତଥା ମିଲର ମାନଙ୍କ ଠାରେ ଯେଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥି ନିମନ୍ତେ ସଂପୃକ୍ତ ଅଧିକାରୀ, ସଂଗଠନ ଓ ବ୍ୟକ୍ତିବିଶେଷ ଯତ୍ନବାନ ହେବାକୁ ଆଜି ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲା ସ୍ତରୀୟ ଖରିଫ ଧାନ ସଂଗ୍ରହଣ – ୨୦୨୩-୨୪ ବର୍ଷ ପାଇଁ ପ୍ରଶାସନିକ ବୈଠକରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ଜିଲା ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ଆହୁତ ବୈଠକରେ ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ, ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ମାନ୍ୟବର ଯାଜପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ କର୍ଣ୍ଣାଟ କେଶରୀ ଦାସ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଶ୍ରୀ ଗୋପୀନାଥ କୁଅଁର, ମଣ୍ଡଳ ଉନ୍ନୟନ ଅଧିକାରୀ, ଯାଜପୁର ଶ୍ରୀ ସୌରଭ ଚକ୍ରବର୍ତୀ ଏବଂ ଜିଲା ବେସାମରିକ ଯୋଗାଣ ଅଧିକାରୀ ସଲାଉଦ୍ଧିନ ଖାଁ ଯୋଗଦେଇ ଖରିଫ ଧାନ ସଂଗ୍ରହଣ ୨୦୨୩-୨୪ ବର୍ଷ ପାଇଁ ସୁଚାରୁ ରୂପେ ସଂପାଦନ ନିମନ୍ତେ ବିଭିନ୍ନ ଦିଗ ସମ୍ୱନ୍ଧରେ ଆଲୋଚନା କରିଥିଲେ । ଆଲୋଚ୍ୟ ବିଷୟବସ୍ତୁ ମଧ୍ୟରେ ଗ୍ରେଡ୍ ‘ଏ’ ଏବଂ ସାଧାରଣ ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ, ପଂଚାୟତ କୃଷି ସମବାୟ ସମିତି ଗୁଡିକର କାର୍ଯ୍ୟ ଏବଂ ଦାୟିତ୍ୱ, ଏକକ ଦିନରେ ଧାନ ମଣ୍ଡିରେ ପହଂଚିବା, କ୍ରୟ କରିବା ଏବଂ ଉଠାଣ କରିବା ଉପରେ, ନିୟନ୍ତ୍ରିତ ବଜାର କମିଟିର ଦାୟିତ୍ୱ, ମିଲର ମାନଙ୍କର ଧାନ ଉଠାଣ ଓ ଯାନ ପହଂଚିବା ତଥା ଅଖା ବ୍ୟବସ୍ଥା କରିବା, ଧାନ ସଂଗ୍ରହଣ କେନ୍ଦ୍ରରେ ଟେଣ୍ଟ ମାରିବା, ଆଲୋକ ବ୍ୟବସ୍ଥା କରିବା, ଶ୍ରମିକ ମାନଙ୍କ ଦ୍ୱାରା ଧାନ ବସ୍ତା ଗାଡିରେ ବୋଝେଇ କରିବା ଓ ଖଲାସ କରିବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା ।
ବିଗତ ବର୍ଷ ଧାନ ସଂଗ୍ରହଣ ଆରମ୍ଭ ତାରିଖ ଡିସେମ୍ୱର ୨୦ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରାଯାଇଥିବା ବେଳେ କେତେକ ସମସ୍ୟା ଉପୁଜିବାରୁ ବୈଠକରେ ଅଧ୍ୟକ୍ଷ ଉପସ୍ଥାପନ କରି ୨୦୨୩-୨୪ ଖରିଫ ବର୍ଷ ପାଇଁ ଧାନ ସଂଗ୍ରହଣ ତାରିଖ ଜାନୁୟାରୀ ୫ ତାରିଖରୁ ଆରମ୍ଭ କରାଯାଇ ମାର୍ଚ୍ଚ ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲାପାଳ ଶ୍ରୀ ରାଠୋର ବୈଠକରେ ସ୍ପଷ୍ଟ କରିଥିଲେ । ସେହିପରି ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ ଏବଂ ମାନ୍ୟବର ବିଧାୟକ, ଯାଜପୁରଙ୍କ ପ୍ରତିନିଧି ଶ୍ରୀଯୁକ୍ତ କର୍ଣ୍ଣାଟ କେଶରୀ ଦାସ ତାଙ୍କ ପ୍ରସ୍ତାବରେ ଧାନ ପଂସଲ ଅମଳ ପାଇଁ ଜମିରେ ଆଊ ଏକ ସୋପାନ ପାଣି ମଡାଇବାର ଆବଶ୍ୟକତା ଥିବା ଏବଂ ମଣ୍ଡିରୁ ସୁଚାରୁ ରୂପେ ଧାନ ସଂଗ୍ରହଣ ପାଇଁ ଉତ୍ଥାପନ କରିଥିଲେ । ଏହି କ୍ରମେ ଜିଲାପାଳ ଶ୍ରୀ ରାଠୋର ଜମିରେ ଆଊ ଗୋଟିଏ ସୋପାନ ପାଣି ମଡାଇବାର ସୁ ବ୍ୟବସ୍ଥା କରାଇବା ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀ, ଯାଜପୁରଙ୍କୁ ନିର୍ଦ୍ଧେଶ ଦେବା ସହ ଧାନ ସଂଗ୍ରହର ଏକ ସପ୍ତାହ ପୂର୍ବରୁ ସହକାରୀ ନିବନ୍ଧକ, ସମବାୟ ସମିତି ସମସ୍ତ ପ୍ୟାକ୍ସକୁ ସୂଚନା ଦେବା, ମିଲରମାନେ ୪୮ ଘଣ୍ଟା ପୂର୍ବରୁ ଧାନ ଉଠାଣ ପାଇଁ ଯାନ ମାଲିକଙ୍କୁ ସୂଚନା ଦେବା ଏବଂ ପଂଚାୟତ କୃଷି ସମବାୟ ସମିତି ୩ ଦିନ ପୂର୍ବରୁ ମିଲର ମାନଙ୍କୁ ଧାନ ଉଠାଣ ପାଇଁ ସୂଚନା ଦେବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।
ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ, ବଡଚଣାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଭୟ ସାମଲ, ଜିଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ସହକାରୀ ନିବନ୍ଧକ, ସମବାୟ ସମିତି ଶ୍ରୀ ଶରତ ଚନ୍ଦ୍ର ମଲିକ, ପଂଚାୟତ କୃଷି ସମବାୟ ସମିତି ସଭାପତି, ସମସ୍ତ ପ୍ୟାକ୍ସର ସଂପାଦକ ଏବଂ ମିଲରମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *