ସୁନା ଅଳଙ୍କାର ବ୍ୟବସାୟୀ ଙ୍କ ଠକେଇ ର ଶିକାର ହେଉଛନ୍ତି ନିରୀହ ଗ୍ରାହକ : କାର୍ଯ୍ୟାନୁଷ୍ଠାନ ଦାବି 

 ନିଶ୍ଚିନ୍ତକୋଇଲି, ୨୮/୧୦/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ନିଶ୍ଚିନ୍ତକୋଇଲି ବଜାର , ନେମାଳ , କେନ୍ଦୁପାଟଣା, କାଜିହାଟ, ସୁକରପଡା, ଅସୁରେଶ୍ଵର , ନରେନ୍ଦ୍ରପୁର , କଟିକଟା ପ୍ରମୁଖ ବଜ଼ାର ମାନଙ୍କରେ ମାଳ ମାଳ ସୁନା ଦୋକାନ ତଥା ସୁନା ଅଳଙ୍କାର ସୋ ରୁମ ହୋଇଥିବା ଦେଖିବାକୁ ମିଳୁଥିବା ବେଳେ ସେମାନେ ସୁନାର ମାନ ଓ ମାପ ଓଜନରେ ଗ୍ରାହକଙ୍କୁ ବ୍ୟାପକ ଠକୁଥିବା ଅଭିଯୋଗ ହେଉଛି । ସୁନାଅଳଙ୍କାର ଦୋକାନୀ ମାନେ ଗ୍ରାହକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଜମି , କୋଠାବାଡ଼ି କରି ନାମିଦାମି କମ୍ପାନୀର ଗାଡି ମୋଟର ବ୍ୟବହାର କରୁଥିବା ବେଳେ ସାଧାରଣ ଖାଉଟି ଶୋଷଣର ଶିକାର ହେଉଛି । ବର୍ତ୍ତମାନ ସୁନାର ଦାମ୍ ଆକାଶ ଛୁଆଁ ହୋଇଥିବା ବେଳେ ସୁନା ଅଳଙ୍କାର ବ୍ୟବସାୟୀ ମାନେ ଦୋକାନର ବାର୍ଷିକ ଉତ୍ସବ, ଦଶହରା ଉତ୍ସବ, ଦୀପାବଳି ତଥା ଧନତେରାସ୍ ଉତ୍ସବ ନାମରେ ସୁନା ଅଳଙ୍କାର ଦଶ ଗ୍ରାମ ପିଛା ୨ ରୁ ୫ ହଜାର ପର୍ଯ୍ୟନ୍ତ ଛାଡ଼ ସହ ଗଢା ମଜୁରୀ ଛାଡ ଉପହାର ଦେଇ କିପରି ବ୍ୟବସାୟ କରୁଛନ୍ତି ଓ ସୁନାର ମାନ ଓ ମାପ କିପରି ଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗରୁ ପ୍ରକାଶ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ର ବଜାର ଓ ଗ୍ରାମାଞ୍ଚଳ ରେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଦୋକାନ ରହିଛି । କେତୋଟି ହାତ ଗଣତି ସୁନା ଅଳଙ୍କାର ଦୋକାନୀଙ୍କୁ ଛାଡିଦେଲେ ଅଧିକାଂଶ ସୁନା ଅଳଙ୍କାର ଦୋକାନୀ ସୁନାର ମାନ ଓ ମାପ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି । ସେମାନେ ୨୨ କ୍ୟାରେଟ ହଲମାର୍କ୍ ସୁନା ଅଳଙ୍କାର କହି ୧୬/୧୮ କ୍ୟାରେଟ ସୁନା ଅଳଙ୍କାର ଦେଇ ଗ୍ରାହକଙ୍କୁ ଠକୁଛନ୍ତି । ଏପରିକି ଜିଏସଟି ବିଲ ଓ ଗଢା ମଜୁରୀ ବାବଦ ଅଧିକ ଟଙ୍କା ନେଇ ସଠିକ ତଥା କଂପ୍ୟୁଟର ବିଲ ଦେଉନାହାନ୍ତି । ଗ୍ରାହକ ମାନଙ୍କୁ ସୁନା ଅଳଙ୍କାର ଦେଇ ପ୍ରିଣ୍ଟ କରାଯାଇଥିବା ରସିଦ ବହିରେ ହାତଲେଖ। ବିଲ ଦେଇ ଠକୁଛନ୍ତି । କିଛିଦିନ ପରେ ଉକ୍ତ ସୁନା ଅଳଙ୍କାରକୁ ଗ୍ରାହକ ଆବଶ୍ୟକ ସ୍ଥଳେ ସୁନା ଦୋକାନୀଙ୍କୁ  ବିକିଲେ  କିମ୍ବା ବଦଳାଇଲେ ସୁନା ଦୋକାନୀ ଗ୍ରାହକଙ୍କ ସୁନା ଅଳଙ୍କାରର ଗଢା ମଜୁରୀ ଛାଡି ସୁନା ଅଳଙ୍କାରରୁ ୨୦ ରୁ ୩୦ % କାଟି ହିସାବ କରିବା ତଥା ଟଙ୍କା ଫେରାଉଥିବା ଅଭିଯୋଗ ହେଉଛି । ପ୍ରାୟତଃ ଅଧିକାଂଶ ସୁନା ଅଳଙ୍କାର ଦୋକାନରେ ସୁନାର ମାନ ମାପିବା ଯନ୍ତ୍ର ନାହିଁ । ଏଠାରେ ସୂଚନା ଥାଉକି ଗତ କିଛି ମାସ ତଳେ ସହରାଞ୍ଚଳରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ୩୧୨୫ ଟି ସୁନା ଅଳଙ୍କାର ଦୋକାନରେ ଚଢ଼ାଉ କରାଯାଇ ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହେବା ସହ ସେମାନଙ୍କ ଠାରୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଖବର ମିଳିଛି । ଗଞ୍ଜାମ , ଖୋର୍ଦ୍ଧା , କଟକ ଜିଲ୍ଲାରେ ଗ୍ରାହକ ସର୍ବାଧିକ ଠକେଇର ଶିକାର ହେଉଥିବା ନଜିର ରହିଛି । ଗ୍ରାହକ ଜାଗ୍ରତ ରହିବ ସହ ଉଚ୍ଚ କର୍ତ୍ରୁପକ୍ଷ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଥିବା ସୁନା ଅଳଙ୍କାର ଦୋକାନୀମାନଙ୍କ ଉପରେ ଚଢ଼ାଉ କରାଗଲେ ବହୁ ରାଜସ୍ବ ଆଦାୟ ହେବା ସହ ଗ୍ରାହକ ମାନେ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *