କାରାଗାରରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଙ୍କ ଅଭିଯୋଗ
ଭୁବନେଶ୍ୱର, ୧୯/୧୦/୨୦୨୪ (ଓଡ଼ିଶା ସମାଚାର)- ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀ ବିଦ୍ୟାଧର ଗୁରୁଙ୍କର ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ଘଟିଛି। କାରାଗାର କର୍ତ୍ତୃପକ୍ଷ ପିଟିପିଟି ମାରି ଦେଇଥିବା ବିଦ୍ୟାଧରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। କାରାଗାର ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ବିଦ୍ୟାଧରଙ୍କ ଘର ନୟାଗଡ଼ ଅଞ୍ଚଳରେ। ସେ ମୈତ୍ରୀବିହାର ଥାନା ଅଧୀନ ବେହେରାସାହିରେ ପରିବାର ସହ ରହୁଥିଲେ। ବ୍ରାଉନସୁଗର କାରବାର ଘଟଣାରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଗତ ୫ ତାରିଖରୁ ସେ କାରାଗାରରେ ଥିଲେ। ଶୁକ୍ରବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ କାରାଗାର ପକ୍ଷରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ କାରାଗାର କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ମୃତକଙ୍କ ସ୍ତ୍ରୀ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ବିଦ୍ୟାଧରଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରାଗାରରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଝୁନୁ ଅଭିଯୋଗ କରି ଘଟଣାର ତଦନ୍ତ କରାଯିବା ସହ ସେ ନ୍ୟାୟ ଦାବି କରିଛନ୍ତି। ବିଦ୍ୟାଧରଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ପରେ ମାମଲା ଭିନ୍ନ ମୋଡ଼ ନେଇଛି। କାରାପାଳ ପ୍ରସନ୍ନ ସାହୁ କହିଛନ୍ତି, ଛାତିରେ ଯନ୍ତ୍ରଣା ହେଉଥିବା ବିଦ୍ୟାଧର ତା’ର ଜଣେ ସାଙ୍ଗକୁ କହିଥିଲେ। ସୂଚନା ପାଇବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାରାଗାର ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏପରି ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏନ୍ଏଚ୍ଆର୍ସିଙ୍କ ମାର୍ଗଦର୍ଶିକା ଅନୁସାରେ ତଦନ୍ତ କରାଯିବ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ମଧ୍ୟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।