ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଜଗତସିଂହପୁର, ୦୯/୧୦/୨୦୨୪ (ଓଡ଼ିଶା ସମାଚାର)- ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ସମନ୍ଵୟରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମନୋଜ କୁମାର ଭୋଇ, ଅଧ୍ୟକ୍ଷ ଜିଲ୍ଲା ପରିଷଦ, ଜଗତସିଂହପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହା ବ୍ୟତୀତ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଶକୁନ୍ତଳା ଚୌଧୁରୀ, ସହକାରୀ ଜିଲ୍ଲାପାଳ ଡ଼ ତୃପ୍ତିମୟୀ ପ୍ରଧାନ, ପ୍ରମୁଖ ଯୋଗଦେଇ ଝିଅ ମାନଙ୍କ ଅଧିକାର, ସୁରକ୍ଷା ଏବଂ ସମାଜରେ ସେମାନଙ୍କର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ସଭାର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ସମସ୍ତ ଙ୍କୁ ଜଣେ ଜଣେ ସୁନାଗରିକ ଭାବରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହ କନ୍ୟା ସନ୍ତାନ ମାନଙ୍କୁ ଉନ୍ନତ ଶୈଶବ ପ୍ରଦାନ ନିମନ୍ତେ ଶପଥ ପାଠ କରାଇଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ଓ ସହଭାଗିତା ପ୍ରଦର୍ଶନ କରିଥିବା ଆଦ୍ଵିକା ଗ୍ରୁପ ଓ ଶିଶୁ ଆଶ୍ରମର ୭ ଜଣ ପିଲା ଯଥା – ରିଙ୍କି ସେଠୀ, ତାରା ରାଉଳ, ଝୁମା ପ୍ରଧାନ, ଚାନ୍ଦିନୀ ରାଉଳ, ପୂର୍ଣ୍ଣିମା କାଣ୍ଡି, ଶ୍ରାବଣୀ ସାହୁ,ଓ ରାଜଶ୍ରୀ ଓଝା ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

କନ୍ୟା ସନ୍ତାନ ମାନଙ୍କର ଶିକ୍ଷା,ସୁରକ୍ଷା,ଏବଂ ସାମୁହିକ ବିକାଶ ନିମନ୍ତେ ପ୍ରଶଂସନୀୟ କାର୍ଯ୍ୟ ଏବଂ ସମାଜରେ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ୨ ଜଣ ସଫଳ ମହିଳା ଡ଼ ଜ୍ୟୋତିର୍ମୟୀ ମହାନ୍ତି ଏବଂ ସୁଶ୍ରୀ ସୁଷମା ପ୍ରଧାନ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ବେଟୀ ବଚାଓ ବେଟୀ ପଢ଼ାଓ ଆମ୍ବାସାଡର ଭାବେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଓ ସମାଜ ମଙ୍ଗଳ ବିଭାଗର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ପରିଶେଷରେ ସୁରକ୍ଷା ଅଧିକାରୀ , ଘରୋଇ ହିଂସା, ଶ୍ରୀମତୀ ଧନେଶ୍ୱରି ନାୟକ ଧନ୍ୟବାଦ୍ ଦେଇଥିଲେ।ଏହି ଦିବସରେ ସରକାରୀ ପଦାଧିକାରୀ, ସ୍ବେଛାସେବୀ ଅନୁଷ୍ଠାନ, ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା, ଶିଶୁ ଆଶ୍ରମ କର୍ମକର୍ତ୍ତା, କିଶୋରି ବାଳିକା, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସୁପରଭାଇଜର ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *