ରାଉରକେଲା,୦୭/୧୦/୨୦୨୪ (ଓଡ଼ିଶା ସମାଚାର)- ମାନବବାଦୀ ଚିନ୍ତନ କୈନ୍ଦ୍ରିକ ଗୋପବନ୍ଧୁ ହୁଏତ ଅପରିକଳ୍ପନୀୟ ଭାବପ୍ରବଣତାରେ ମୋହାଚ୍ଛନ୍ନ ହୋଇଛନ୍ତି, କିନ୍ତୁ ତାଙ୍କ ଭିତରେ ସଦା ଜାଗୃତ ମାନବ ପ୍ରୀତିର ମହାନ ମୂଲ୍ୟବୋଧ ଠାରୁ ନିଜକୁ ବିଚ୍ଛିନ୍ନ କରିପାରି ନାହାନ୍ତି। ଉଭୟ ଭାବପ୍ରବଣତା ଓ ବୌଦ୍ଧିକ ଚିନ୍ତନର ସଂଶ୍ଳେଷଣରେ ତାଙ୍କର ବ୍ୟକ୍ତିତ୍ବ ଓ କର୍ମ ପଦ୍ଧତି ବିକଶିତ ହୋଇଛି ବୋଲି ପ୍ରଗତି ଉତ୍କଳ ସଂଘ ଆୟୋଜିତ ଗୋପବନ୍ଧୁ ଓ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିବା ବକ୍ତା ମାନେ ‘ଚିତ୍ତରଞ୍ଜନଙ୍କ ଦୃଷ୍ଟିରେ ଗୋପବନ୍ଧୁ ‘ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଉପରୋକ୍ତ ବକ୍ତବ୍ୟ ରଖିଥିଲେ। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏବଂ ଡ. ନଗେନ କୁମାର ଦାସଙ୍କ ସଂଚାଳନରେ ଅନୁଷ୍ଟିତ ଉକ୍ତ ସଭାକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ସହ ଉଭୟ ମହାପୁରୁଷଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଗଙ୍ଗାଧର ତ୍ରିପାଠୀ ରବୀନ୍ଦ୍ର ସଙ୍ଗୀତ ଏବଂ ସ୍ମିତା ମିଶ୍ର ଗୋପବନ୍ଧୁଙ୍କ ରଚିତ ବନ୍ଦୀର ଆତ୍ମକଥା କବିତା ଗାନ କରିଥିଲେ। ଡ. ନଗେନ କୁମାର ଦାସଙ୍କ ଦ୍ବାରା ସମ୍ପାଦିତ ଏବଂ ପ୍ରଗତି ଉତ୍କଳ ସଂଘ ଦ୍ବାରା ପ୍ରକାଶିତ ‘ଗୋପବନ୍ଧୁ ଚର୍ଚ୍ଚା ‘ ପୁସ୍ତକ ଲୋକାର୍ପିତ ହେବାସହ ଡ. କ୍ଷୀରୋଦ କୁମାର ବରାଳଙ୍କ ଦ୍ବାରା ଏହାର ସମୀକ୍ଷା କରାଯାଇଥିଲା। ବରେଣ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ କହିଲେ ଯେ, ଚିତ୍ତରଞ୍ଜନଙ୍କ ଦୃଷ୍ଟିରେ ଗାନ୍ଧି ଓ ଗୋପବନ୍ଧୁ ଅଭିନ୍ନ। ଯୁଗ ପ୍ରବର୍ତ୍ତକ ଗୋପବନ୍ଧୁ ଗୋଟିଏ ବ୍ୟାପକ ଚେତନାରେ ବଞ୍ଚୁଥିଲେ। ତାଙ୍କର ଧର୍ମ ଥିଲା ଆନ୍ତରିକତା। ଓଡ଼ିଶା ମାଟିକୁ ସ୍ବପ୍ନ ଦେଖାଇଥିଲେ ଗୋପବନ୍ଧୁ। ସେହି ସ୍ବପ୍ନରେ ଥିଲା ଗଭୀର ଆନ୍ତରିକତା ଓ ଜୀବନ ପ୍ରୀତି। ଅନ୍ୟତମ ବରେଣ୍ୟ ବକ୍ତା ଡ. ପ୍ରଭାତ କୁମାର ମଲ୍ଲିକ ଗୋପବନ୍ଧୁଙ୍କୁ ଜଣେ ସମାଜ ସଂସ୍କାରକ, ଶିକ୍ଷା ସଂସ୍କାରକ, ମାନବବାଦୀ କବି ଓ ଦାର୍ଶନିକ ରୂପେ ବର୍ଣ୍ଣନା କରିଥିଲେ। ଗୋପବନ୍ଧୁଙ୍କ ବିଶ୍ବ ଦୃଷ୍ଟି ଓ ଓଡ଼ିଶା ଦୃଷ୍ଟିରେ ସ୍ବାତନ୍ତ୍ର୍ୟ ରହିଛି। ସେଇ ସମୟର ଚିନ୍ତା କ୍ଷେତ୍ରରେ ମଧୁସୂଦନ, ଗୋପବନ୍ଧୁ ଓ ଫକୀରମୋହନଙ୍କର କେହି ବିକଳ୍ପ ନଥିଲେ। ସଭାର ଦ୍ବିତୀୟ ପର୍ଯ୍ୟାୟରେ ରଶ୍ମି ସାହୁଙ୍କ ସଂଯୋଜନାରେ ଗୋପବନ୍ଧୁଙ୍କ ରଚିତ କବିତା ଗୁଡ଼ିକୁ ଆବୃତ୍ତି କରିଥିଲେ କାଶୀନାଥ ପାତ୍ର, ବିଜୟିନୀ ଜେନା, ମୀନକେତନ ପଶାୟତ, ବନିତା ମହନ୍ତ, ଆର୍ତ୍ତତ୍ରାଣ ମହାପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ ଅଶୋକ ପଟ୍ଟନାୟକ। ଗୋପବନ୍ଧୁଙ୍କୁ ସମର୍ପିତ, ମନୋଜ ଦାସଙ୍କ ଦ୍ବାରା ରଚିତ ‘ସ୍ବାତୀ ନାମ୍ନୀ ତାରା ଯୋଗେ’ କବିତା ଲକ୍ଷ୍ମଣ ନାଥ ଦାସ ଆବୃତ୍ତି କରିଥିଲେ। ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ, ସମ୍ପାଦକ ରାଧାମୋହନ ନାୟକ, ଇନ୍ଦ୍ରମଣି ମହାପାତ୍ର, ଅରବିନ୍ଦ ପାତ୍ର, ଶୁଭ୍ରାଂଶୁ ଶେଖର ମହାପାତ୍ର, ଅର୍ଜ୍ଜନ ଭୂୟାଁ, ପରୀକ୍ଷିତ ଗୁରୁ, ପ୍ରସନ୍ନ କୁମାର ମହାନ୍ତି, ପ୍ରଦୀପ କୁମାର ପଟ୍ଟନାୟକ, ବରୁଣ ନାହାକ ପ୍ରମୁଖ ସହାୟତା କରିଥିବାବେଳେ ସଭାରେ ଭାରତ ଭୂଷଣ ମହାନ୍ତି, ରମାକାନ୍ତ ସ୍ବାଇଁ, ଶଙ୍କର ପ୍ରସାଦ ତ୍ରିପାଠୀ, ଡା. କୃପାସିନ୍ଧୁ ନାୟକ, ସ୍ନେହଲତା ପଟ୍ଟନାୟକ, ବ୍ରଜ ଦାସ, ଅକ୍ଷୟ କୁମାର ସାମଲ, ବିଚିତ୍ରାନନ୍ଦ ସାହୁ, ନୃସିଂହ ଚରଣ ରାଉତ, ନୃସିଂହ ଚରଣ ବିଶ୍ବାଳ, ପ୍ରଶାନ୍ତ କୁମାର ପତି, ଆଲୋକ ବୋଷ, ସୁନୀଲ ମହାନ୍ତି, କରୁଣାକର ପାଟ୍ଟଶାଣୀ, ନିର୍ମଳ କୁମାର ଆଚାର୍ଯ୍ୟ, କାଶୀନାଥ ନନ୍ଦୀ, ସଞ୍ଜୀବ ଭୋଇ, ନୃସିଂହ ଚରଣ ମହାନ୍ତି, ବିଜୟ କୁମାର ସାହୁ, ବ୍ରହ୍ମାନନ୍ଦ ପାଢ଼ୀ,ଆଲୋକ ବୋଷ, ସୁବାସ ଚନ୍ଦ୍ର ଦାସ,ଡ ସୁମନ ଦତ୍ତ, ବଳରାମ ରାଉଳ, ତ୍ରିଲୋଚନ ସ୍ବାଇଁ, ସୁଶାନ୍ତ କୁମାର ନାୟକ ଆଦି ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।