ନବନିଯୁକ୍ତ ପ୍ରାଣୀଚିକିତ୍ସକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

                                        ‘ମୂକ ପ୍ରାଣୀମାନଙ୍କ ଚିକିତ୍ସା ଅଧିକ ଗୁରୁତ୍ୱପୂର୍ଣ୍ଣ’: ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର,୨୬/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ ନବନିଯୁକ୍ତ ୮୨ ଜଣ ପ୍ରାଣୀଚିକିତ୍ସକଙ୍କ ପ୍ରାଥମିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିଯୁକ୍ତ ପ୍ରାଣୀଚିକିତ୍ସକମାନେ ଯୋଗ୍ୟତା ତାଲିକା ଭିତ୍ତିରେ ସେମାନଙ୍କ ପସନ୍ଦ ଅନୁଯାୟୀ ନିଜ ନିଜ ଚାକିରି ସ୍ଥାନ ବାଛିଥିଲେ ।

ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ନବନିଯୁକ୍ତ ପ୍ରାଣୀଚିକିତ୍ସକମାନଙ୍କୁ ଦିଗ୍‌ଦର୍ଶନ କ୍ରମେ କହିଥିଲେ ଯେ ଅବସ୍ଥାପନ ସଂପର୍କିତ ଧାରଣା ବାହାରେ ସେମାନେ ଯେକୌଣସି ସ୍ଥାନରେ ପ୍ରାଣୀସଂପଦ ବିକାଶ ଦିଗରେ କାର୍ଯ୍ୟ କରିବାର ହେଲେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ପ୍ରାଣୀଚିକିତ୍ସକମାନେ ମୂକ ପ୍ରାଣୀମାନଙ୍କ ଚିକିତ୍ସା କରୁଥିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସେଥିପାଇଁ ସେମାନଙ୍କୁ ଯଥେଷ୍ଟ  ଯତ୍ନବାନ ହେବାକୁ ପଡ଼ିବ ।ପ୍ରାଣୀଚିକିତ୍ସକମାନଙ୍କୁ ଶ୍ରେଷ୍ଠ ଚିକିତ୍ସକରଆଖ୍ୟା ଦିଆଯାଏ କାରଣ ସେମାନେ ପ୍ରାଣୀମାନଙ୍କୁ ରୋଗ ସଂପର୍କିତ ପ୍ରଶ୍ନ ନପଚାରି ନିଦାନ ଓ ଚିକିତ୍ସା କରିଥାନ୍ତି ।

ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ ପ୍ରାଣୀଚିକିତ୍ସକମାନେ ପ୍ରଥମରୁ ଗ୍ରୁପ୍‌-ଏ ଶ୍ରେଣୀରେ ନିଯୁକ୍ତି ପାଉଛନ୍ତି । ତେଣୁ ସେମାନଙ୍କର ଦାୟିତ୍ୱ ବୃଦ୍ଧି ପାଇଛି ଏବଂ କର୍ତ୍ତବ୍ୟ ସଂପାଦନରେ ସେମାନେ ଯଥେଷ୍ଟ ଆନ୍ତରିକତା ଓ ନିଷ୍ଠା ପ୍ରଦର୍ଶନ କରିବା ଆବଶ୍ୟକ ।

ଅନୁରୂପ ଭାବରେ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରାଣୀ ପ୍ରଜାତିମାନଙ୍କର ଲିପିବଦ୍ଧକରଣ (ଡକୁ୍ୟମେଣ୍ଟେସନ୍‌) ପାଇଁ ନ୍ୟାସନାଲ ବୁ୍ୟରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ମଲ୍ଲିକ ଏଥିରେ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ପ୍ରାଣୀ ପ୍ରଜାତି ଆମ ସଂସ୍କୃତି ସହ ଜଡ଼ିତ । ଏହି ପ୍ରସଙ୍ଗରେ ସେ ମାଣିକପାଟଣାର ଉଦାହରଣ ଦେଇ ମାଣିକ ଗଉଡୁଣୀର ଠାକୁରଙ୍କୁ ପ୍ରଦତ୍ତ ଦହି ଚିଲିକା ମଇଁଷୀ କ୍ଷୀରରୁ ପ୍ରସ୍ତୁତ ହୋଇଥିବା ଦର୍ଶାଇଥିଲେ । ରାଜ୍ୟରେ ୧.୮୧ କୋଟି ପଶୁସଂପଦ ଏବଂ ୨.୭୨ କୋଟି କୁକୁଟ ଜାତୀୟ ପକ୍ଷୀ ଅଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ୧୨ଟି ପ୍ରଜାତିର ପଞ୍ଜୀକରଣ ହୋଇପାରିଛି । ଏହି ୧୨ଟି ପ୍ରଜାତିକୁ ଛାଡ଼ି ଅନ୍ୟ ଅନେକ ପ୍ରଜାତି ପଞ୍ଜୀକରଣ ଅପେକ୍ଷାରେ ଅଛନ୍ତି । ଆଜିର ବୈଠକରେ ବୁ୍ୟରୋର ନିର୍ଦ୍ଦେଶକ ଡ. ବି.ପି. ମିଶ୍ର କହିଥିଲେ ଯେ ଆଗାମୀ କିଛିଦିନ ମଧ୍ୟରେ ରାଜ୍ୟର ସମସ୍ତ ପ୍ରାଣୀ ପ୍ରଜାତିଙ୍କ ପଂଜୀକରଣ କରାଯିବ । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।

                                                                                                    -0-

ସୂର୍ଯ୍ୟ ମିଶ୍ର, ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *