# ଅକଟୋବର ୫ ସୁଦ୍ଧା ସମସ୍ତ ସହରାଞ୍ଚଳ ରାସ୍ତା ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ
# ପ୍ରକଳ୍ପ ଅଗ୍ରଗତି ନେଇ ନିୟମିତ ହେବ ସମୀକ୍ଷା
# କାର୍ଯ୍ୟର ଗୁଣବତ୍ତା ନେଇ ବୈଠକରେ ଗୁରୁତ୍ୱ
ଭୁବନେଶ୍ୱର, ୧୮ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ରାସ୍ତା, ସେତୁ, କୋଠାବାଡ଼ି ଏବଂ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ସହ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ନିୟମିତ ସମୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ଇଆଇସି ଏବଂ ମୁଖ୍ୟଯନ୍ତ୍ରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।
ଆଗକୁ ଦଶହରା ଥିବାରୁ ଗମନାଗମନ ବ୍ୟବସ୍ଥା ଯେପରି ଶୃଙ୍ଖଳିତ ହୋଇପାରିବ ସେଥି ଲାଗି ସମସ୍ତ ସହରାଞ୍ଚଳରେ ଥିବା ପୂର୍ତ୍ତ ବିଭାଗ ରାସ୍ତାଗୁଡ଼ିକର ମରାମତି ଅକେଫାବର ୫ ସୁଦ୍ଧା ଶେଷ କରିବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ସମସ୍ତ ଇଂଜିନିୟରିଂ ଇନ୍ ଚିଫ୍, ମୁଖ୍ୟ ଯନ୍ତ୍ରୀ, ଓବିସିସି ପରିଚାଳନା ନିର୍ଦ୍ଦେଶକଙ୍କ ସହ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।