ଜଗତସିଂହପୁର ୧୭/୯/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲାସ୍ତରୀୟ ବିକାଶ ମେଳାର ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ଘ. ୫ ଟିକା ସମୟରେ ସଦଭାବନା ସଭାଗୃହ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ବିକାଶ ମେଳା ଜିଲ୍ଲାର ସମସ୍ତ ବିଭାଗର ସମନ୍ୱୟରେ ସଠିକ ଭାବରେ ପରିଚାଳନା କରିବା ଦିଗରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜ଼ିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନମୂଳକ ଫଳପ୍ରସୂ ଯୋଜନା ଗୁଡିକୁ ଜନସାଧାରଙ୍କୁ ଅବଗତ ଓ ସଚେତନ କରିବା ପାଇଁ ଏହି ବିକାଶ ମେଳା ଆୟୋଜିତ କରାଯାଉଛି । ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ମିଶନ ଶକ୍ତି, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କୃଷି, ଉଦ୍ୟାନ କୃଷି, ପର୍ଯ୍ୟଟନ, ଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ସମନ୍ବିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି । ୩ ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଦଳ ମାଧ୍ୟମରେ ସାଂସ୍କୃତିକ ସ୍ପର୍ଦ୍ଧା ମଧ୍ୟ ଆୟୋଜନ କରାଯିବ । ୨୫ ଷ୍ଟଲ ବିଶିଷ୍ଟ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀର ଆୟୋଜନ କରାଯିବ । ୩ ରୁ ୫ ହଜାର ଜନସାଧାରଣଙ୍କ ସମାଗନ ହେବ ।
ପ୍ରାପ୍ତ ସୂଚନା ଅନୁଯାୟୀ ୨୧ ତାରିଖରେ ହେବାକୁ ଥିବା ଉଦ୍ଘାଟନ ସମାରୋହରେ ସମ୍ମାନନୀୟା ଉପ ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତି ପରିଡା , ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।