ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସମୀକ୍ଷା ବୈଠକ –  ପ୍ରାଣୀସଂପଦ ବିକାଶ ନେଇ ବିସ୍ତୃତ ଆଲୋଚନା

                                                     ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରୟାସ ପ୍ରଶଂସିତ

ଭୁବନେଶ୍ୱର,୧୨/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଦେଶର ବିଭିନ୍ନ ରାଜ୍ୟରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ସଫଳ ଓ ସଶକ୍ତ ରୂପାୟନ ନେଇ ଏକ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଆଜି ଭୁବନେଶ୍ୱରରେ ଭାରତ ସରକାରଙ୍କ

ପଶୁପାଳନ ଓ ଡାୟେରୀ ବିଭାଗ ଓ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରଙ୍କ ସମେତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ମେଘାଳୟ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରୀ ବିଭାଗ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିବାବେଳେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ସମବେତ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ । କେନ୍ଦ୍ର ପଶୁପାଳନ ଓ ଡାୟେରୀ ବିଭାଗ ଅତିରିକ୍ତ ସଚିବ ଶ୍ରୀମତୀ ବର୍ଷା ଯୋଶୀ ସମୀକ୍ଷା ବୈଠକରେ ଆଲୋଚନା ଆରମ୍ଭ କରି ସଂଶୋଧିତ ଆର୍ଥିକ ନିୟମାବଳୀ, ରାଜ୍ୟଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଣ୍ଠିର ଉପଯୋଗ, ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା କାର୍ଯ୍ୟକ୍ରମ ଏବଂ ଜାତୀୟ ପ୍ରାଣୀସଂପଦ ମିଶନର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ବୈଠକରେ ଅଧ୍ୟକ୍ଷତା କରି ସଚିବ ଶ୍ରୀମତୀ ଉପାଧ୍ୟାୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସାଂପ୍ରତିକ ସ୍ଥିତି ନେଇ ମୂଲ୍ୟାୟନ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ରାଷ୍ଟ୍ରୀୟ ଗୋକୁଳ ମିଶନ, ପଶୁଧନ ସ୍ୱାସ୍ଥ୍ୟ, ଜାତୀୟ ପ୍ରାଣୀସଂପଦ ମିଶନ, ଦୁଗ୍ଧ ଉତ୍ପାଦନ ଅଭିବୃଦ୍ଧି ଯୋଜନା, ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠିର ଉପଯୋଗ, ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମର ଅଗ୍ରଗତି, ପଶୁଧନ ଗଣନା ଏବଂ ସମନ୍ୱିତ ନମୁନା ସର୍ବେକ୍ଷଣ ଉପରେ ଆଲୋଚନା କରିଥିଲେ ।

ଉଭୟ ସଚିବ ଓ ଅତିରିକ୍ତ ସଚିବ ଓଡ଼ିଶାରେ ପ୍ରାଣୀସଂପଦ କ୍ଷେତ୍ରରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଗର୍ଭଧାରଣ କ୍ଷେତ୍ରରେ ଜାତୀୟ ହାର ୧୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ସେକ୍ସ ସର୍ଟେଡ୍‌ ସିମେନ୍‌ ଜରିଆରେ କୃତି୍ରମ ପ୍ରଜନନ ବିକାଶ କାର୍ଯ୍ୟକ୍ରମରେ ଏହା ପ୍ରାୟ ୩୩ ପ୍ରତିଶତରେ ପହଞ୍ଚିଥିବାରୁ ସମୀକ୍ଷା ବୈଠକରେ ରାଜ୍ୟର ପ୍ରୟାସକୁ ଉତ୍ସାହଜନକ ବୋଲି କୁହାଯାଇଥିଲା । ଜାତୀୟ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଟିକାକରଣ, କୃତି୍ରମ ପ୍ରଜନନ, ଜାତୀୟ ପ୍ରାଣୀସଂପଦ ମିଶନ ଅଧିନରେ ଛେଳି ଫାର୍ମ, ଡାୟେରୀ ଫାର୍ମ ଓ ଫୋଡର ୟୁନିଟ୍‌ ଏବଂ ତାଲିମ କାର୍ଯ୍ୟକ୍ରମ ପରି ଯୋଜନାଗୁଡ଼ିକ ନେଇ ବିସ୍ତୃତ ଆଲୋଚନା ହେବା ସହ ରୂପାୟନରେ ରହିଥିବା ଆହ୍ୱାନଗୁଡ଼ିକ ବାବଦରେ ଆଲୋଚନା ହୋଇଥିଲା । ଅନ୍ୟ ଆଲୋଚିତ ପ୍ରସଙ୍ଗଗୁଡ଼ିକରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସାଂପ୍ରତିକ ସ୍ଥିତି ଓ ଆର୍ଥିକ ଦିଗ, ବିଭିନ୍ନ ରାଜ୍ୟରେ ପ୍ରାଣୀଧନ କଲ୍ୟାଣ ବୋର୍ଡ ଗଠନ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା । ବିଭିନ୍ନ ରାଜ୍ୟର ସଫଳ କାହାଣୀ ପାୱାର ପଏଣ୍ଟ ଓ ଭିଡ଼ିଓ ମାଧ୍ୟମରେ ଉପସ୍ଥାପିତ ହୋଇଥିବାବେଳେ ଭାରତ ସରକାରଙ୍କ ପଶୁଧନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବାଦଲ ବିଶ୍ୱକର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *