ଜଗତସିଂହପୁର ରେ ଆରମ୍ଭ ହେଲା ସି.ଏମ-କିଷାନ ଯୋଜନା

ଜଗତସିଂହପୁର, ୦୮/୯/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ନୂଆଁଖାଇ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ସି.ଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଅଛି ।  ରବିବାର ଦିନ  ଜିଲ୍ଲା ପ୍ରଶାସନ ତରଫରୁ ସି.ଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓସ୍ୱାନ  ହଲ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନନୀୟ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ,  ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦାନ କରିଥିଲେ।

ବିଶେଷ କରି ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଠାରୁ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ ଉଦବୋଧନ ଦେବା ସହିତ ଓଡ଼ିଶାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ୩ଟି କୃଷି ପୋର୍ଟାଲ ଯଥା: ସି.ଏମ-କିଷାନ, ପି.ଏମ.କିଷାନ ଓ କୃଷକ ଇଉନିଫାଏଡ ପୋର୍ଟାଲ ର ଉନ୍ମୋଚନ କରି କୃଷି ବିଭାଗ ଏବଂ ଆନୁସଙ୍ଗିକ ବିଭାଗର ଯୋଜନାର ସଫଳ ରୂପାୟନ କରିଛନ୍ତି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୯୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ଡ଼ିବିଟି ମାଧ୍ୟମରେ ହସ୍ତାନ୍ତର କରିଛନ୍ତି ।

ଏହି ପରିପ୍ରେକ୍ଷୀରେ, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜଗତସିଂହପୁରର ୨୫ ଜଣ ସି.ଏମ-କିଷାନ ହିତାଧିକାରୀ ଯୋଗ ଦେଇଛନ୍ତି ।ଏଥି ସହିତ ପ୍ରତି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ୧୦ଜଣ ଲେଖାଏଁ ସି.ଏମ-କିଷାନର ହିତାଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଯୋଜନାରେ ସରକାର ବର୍ଷ କୁ ଦୁଇଥର ଖରିଫ ଏବଂ ରବି ଋତୁରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ଭାବରେ ପ୍ରଦାନ କରୁଛନ୍ତି ଏବଂ ଭୂମି-ହୀନ କୃଷକ ମାନଙ୍କ ପାଇଁ ବର୍ଷକୁ ଥରୁଟିଏ ୧୨,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ସୁବିଧା ଅଛି ।

ସୂଚନା ଥାଉକି,  ଜିଲ୍ଲାରେ ଏହି ଯୋଜନାରେ ୧୪୮୧୫୨ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪୭୫ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି । ଏଥି ସହିତ ଆଗାମୀ ଦିନ ମାନଙ୍କରେ ସରକାରୀ ଅନୁଷ୍ଠାନରେ ପାଠ  ପଢ଼ୁଥିବା କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ପିଲାମାନଙ୍କୁ, କୃଷି ବିଦ୍ୟା ନିଧି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ପ୍ରଦାନ କରାଯିବାର ଯୋଜନା ମଧ୍ୟ ଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ବିଶ୍ୱଜିତ୍ ପଣ୍ଡା, କୃସମଲେଇ ପ୍ରସାଦ ପଣ୍ଡା ,ସହକାରୀ କୃଷି ନିର୍ଦ୍ଦେଶକ, ସନ୍ଧ୍ୟା ଶୁଭଦର୍ଶୀନୀ, ସହକାରୀ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,  ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ,ସହକାରୀ ମତ୍ସ୍ୟ ଅଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *