କେନ୍ଦ୍ରାପଡ଼ା, ୨୯/୮/୨୦୨୪ (ଓଡ଼ିଶା ସମାଚାର)- ଭାରତର କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖରେ ପାଳିତ ହୁଏ ଜାତୀୟ କ୍ରୀଡ଼ା ଦିବସ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲା ପ୍ରଶାସନ (କ୍ରୀଡା ବିଭାଗ) ଆନୁକୁଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୪ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ । ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତଙ୍କୁ କ୍ରୀଡା ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶ, କ୍ରୀଡା ପ୍ରତି ତାଙ୍କର ସମର୍ପଣଭାବ ଓ ପ୍ରତିବଦ୍ଧତା ଗୁଣକୁ ପାଥେୟ କରି କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପ୍ରାପ୍ତି ପାଇଁ ଉପସ୍ଥିତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଇଥିଲେ । ଜୀବନରେ କ୍ରୀଡାର ଆବଶ୍ୟକତା ଓ କ୍ରୀଡାବିତଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ସହ ଏହି ଦିବସରେ ସମସ୍ତେ ଫିଟ୍ ରହିବା ପାଇଁ ସେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପିଢି ପିଢି ଧରି ପ୍ରେରଣାର ଉତ୍ସ ହୋଇ ଆସିଥିବା ଧ୍ୟାନଚାନ୍ଦଙ୍କ ହକି ପ୍ରତି ନିଷ୍ଠା ଓ ଆଦର୍ଶକୁ ମନେପକାଇବା ସହ କ୍ରୀଡା ସଂସ୍କୃତିର ବିକାଶ ଏବଂ କ୍ରୀଡାବିତଙ୍କୁ ସମ୍ମାନ ଦେବାହିଁ ଏହି ଦିବସର ମୁଖ୍ୟ ଉଦ୍ଧେଶ୍ୟ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ । କ୍ରୀଡା ପ୍ରତି ସମର୍ପଣ ଭାବ ରଖିବା ସହ ଶୃଙ୍ଖଳା ଓ ଚରିତ୍ର ପ୍ରତି ଗୁରୁତ୍ୱାରୋପ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅୟୋଜିତ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲାପାଳ ଶ୍ରୀ ପ୍ରଧାନ । କଲେକ୍ଟରେଟରୁ ବାହାରି ଥିବା ଏହି ରାଲି ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲା । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ । ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଜିଲା କ୍ରୀଡା ସଂସଦ ସମ୍ପାଦକ ଅକମଲ୍ ଅଲ୍ଲୀ, ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ ଓ ଛାତ୍ରଛାତ୍ରୀ ଏବଂ ଜିଲା ପ୍ରଶାସନର କର୍ମକର୍ତା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ।