ମାହାଙ୍ଗା ୨୭/୮/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)- ବିରୂପା ଗେଙ୍ଗୁଟି ଦୋଆବ ଅଂଚଳର ଏକ ପୁରାତନ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତବାର୍ଷିକ ଉତ୍ସବ ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । କଲ୍ୟାଣପୁର ଗ୍ରାମର ବଦାନ୍ୟ ଶିକ୍ଷାନୁରାଗୀ ମହିଳା ସ୍ବର୍ଗୀୟା ମହିଳା ମଲ୍ଲିମାଳ ଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ଏକ ଶତାୟୁ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଛି । ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷା କମିଟି ସଭ୍ୟ,ସଭ୍ୟା ଏବଂ ଅଭିଭାବକ ତଥା ଗ୍ରାମବାସୀମାନଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।
ଆଜି ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ଅଧ୍ୟକ୍ଷତାରେ କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟାଙ୍କ ପ୍ରତିନିଧି ସାମ୍ବାଦିକ ଅଖିଳେଶ ମହାନ୍ତି, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ପ୍ରଧାନ, ସ୍କୁଲ ଶିକ୍ଷା କମିଟି ସଭାପତି ଶରତ ବେହେରା, ପରିଚାଳନା କମିଟି ସଭ୍ୟ ରମେଶ ଚନ୍ଦ୍ର ବେହେରା, ମଞ୍ଜୁଲତା ସାହୁ, ଶରତ କୁମାର ପଣ୍ଡା, ରମେଶ ବେହେରା, ଦିଲ୍ଲୀପ କୁମାର ବାରିକ,ବିଭୂତି ଭୂଷଣ ଦାସ,ସୁମନ୍ତ କୁମାର ପଲେଇ, ପୁଷ୍ପଲତା ସେଠୀ, ରଶ୍ମିତା ବେହେରା, ଶିକ୍ଷୟିତ୍ରୀ ସବିତା ଦାସ, ଲୀଳାଶ୍ରୀ ନିରୋଜ ନଳିନୀ, ଭାରତୀ ପଣ୍ଡା, ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ, ମମତା ସାମଲ, ଭାରତୀ ବେହେରା,ମାନସୀ ଦାସ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ଶତାୟୁ ବିଦ୍ୟାଳୟର ଉନ୍ନତିକରଣ, ନୂତନ ଗୃହ ନିର୍ମାଣ, ପାଚେରୀ ନିର୍ମାଣ,ଏବଂ ପୁରାତନ ଶ୍ରେଣୀଗୃହ ଗୁଡିକର ନବୀକରଣ ପାଇଁ ସ୍ଥାନୀୟ ବିଧାୟକଙ୍କୁ ସ୍କୁଲ ପକ୍ଷରୁ ଅବଗତ ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା । ପରବର୍ତ୍ତୀ ବୈଠକରେ ସମସ୍ତ ଅଭିଭାବକ ଏବଂ ପୁରାତନ ଛାତ୍ର-ଛାତ୍ରୀ ମାନଙ୍କୁ ଯୋଗଦେବାକୁ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶରଣ ଅନୁରୋଧ କରିଥିଲେ । ଆସନ୍ତା ମାସ ୯ ତାରିଖ ଦିନ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ବିଦ୍ୟାଳୟର ଶତବାର୍ଷିକ ଉତ୍ସବକୁ ସରସ ସୁନ୍ଦର ଏବଂ ସଫଳ କରିବା ପାଇଁ ଆଜିର ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ପୁରାତନ ଛାତ୍ର କ୍ଷୀରୋଦ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
