ବର୍ଷାପରେ ତିନିମୁହାଣୀ- ଅଙ୍ଗୁଳେଇ ରାସ୍ତା ବେହାଲ: ଖାଲଖମାରେ ପରିପୂର୍ଣ୍ଣ

                                                             ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ

କେନ୍ଦ୍ରାପଡା, ୨୦/୮/୨୦୨୪ (ଓଡ଼ିଶା ସମାଚାର)- ଲଗାଣ ବର୍ଷା ପରେ କେନ୍ଦ୍ରାପଡା ସହର ଦେଇ ଯାଇଥିବା ତିନିମୁଷାଣୀ- ଅଙ୍ଗୁଳେଇ ରାସ୍ତା ବେହାଲ ହୋଇ ପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୁର୍ଘଟଣା ଘଟି ଲୋକମାନେ ଆହତ ହେଉଛନ୍ତି । କିନ୍ତୁ ଏଥିପ୍ରତି ବିଭାଗୀୟ କର୍ତୃପକ୍ଷଙ୍କ ନିଘା ନଥିବା ଦେଖାଯାଇଛି । ପୂର୍ତ ବିଭାଗ ଅଧିନରେ ଥିବା ଏହି ତିନିମୁହାଣୀ – ଅଙ୍ଗୁଳେଇ ରାସ୍ତାଟି ଏବେ ବଡ ବଡ ଖାଲଖମାରେ ଭର୍ତି ହୋଇପଡିଛି । ୧୦କିଲୋମିଟର ବ୍ୟାପ୍ତ ଏହି ରାସ୍ତା ପ୍ରାୟ ୮ବର୍ଷ ତଳେ  ୯କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ କରାଯାଇଥିଲା । କିନ୍ତୁ ମାତ୍ର ଆଠ ବର୍ଷ ମଧ୍ୟରେ ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଇପଡିିବ ତାହା କେହି ବିଶ୍ୱାସ କରିପାରୁନାହାନ୍ତି । ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇନାହିଁ । ନିର୍ମାଣର ବର୍ଷକ ମଧ୍ୟରେ ଏହା ଶୋଚନୀୟ ହୋଇପଡିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାଫଳରେ ପୂର୍ତ ବିଭାଗ ରାସ୍ତା ଉପରେ ତାଳି ପକାଇଥିଲା । ସେବେ ଠାରୁ ଜଣାପଡିଥିଲା ରାସ୍ତା ନିମ୍ନମାନର ସାମଗ୍ରୀରେ ନିର୍ମାଣ ହୋଇଛି ବୋଲି । ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତ ବ୍ୟୟ ଅଟ୍ଟକଳରେ ଯେଉଁ ସାମଗ୍ରୀ ବ୍ୟବହାର କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା ଠିକାଦାର ସେଭଳି ସାମଗ୍ରୀ ବ୍ୟବହାର କରିନଥିଲେ । କୋଟି କୋଟି ଟଙ୍କା ହେରଫେର କରିବା ପାଇଁ ଠିକାଦାର ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିଲେ ।ସେଥିପାଇଁ ପ୍ରତିବର୍ଷ ଏହି ରାସ୍ତାରେ ତାଳି ପକାଯାଉଛି । ତାଳିପକା କାର୍ଯ୍ୟ ଚାଲିଥିବାରୁ ଏହା ମାତ୍ର କିଛି ମାସ ମଧ୍ୟରେ ନଷ୍ଟ ହୋଇଯାଉଛି । ଫଳରେ ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ବିଶେଷ ଭାବରେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ପିଲାମାନେ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପଡି ଆହତ ହେଉଛନ୍ତି । ସେହିପରି ସକାଳୁ ଚଲାବୁଲା କରିବା ବେଳେ ବରିଷ୍ଠ ନାଗରିକମାନେ ମଧ୍ୟ ଏହି ଖାଲରେ ପଡି ଆହତ ହେଉଛନ୍ତି । ବରିଷ୍ଠ ନାଗରିକ ତଥା ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି କହିଛନ୍ତି ତତକାଳୀନ ସରକାରୀ ବିଧି ବ୍ୟବସ୍ଥା ଢିଲା ଥିବାରୁ ଠିକାଦାର ନିମ୍ନମାନର କାମ କରି ମଧ୍ୟ ଦଣ୍ଡ ପାଇଲେ ନାହିଁ । ଯାହାଫଳରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ଖାଲଖମାରେ ପଡି ବରିଷ୍ଠ ନାଗରିକ, ଛୋଟପିଲା ଓ ବାଟୋଇମାନେ ଆହତ ହେଉଛନ୍ତି । ବର୍ତମାନର ମୋହନ ସରକାର ଏଥିପ୍ରତି ଧ୍ୟାନଦେଇ ଏହି ରାସ୍ତାର ସ୍ଥାୟି ସମାଧାନ କରିପାରିଲେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ବୋଲି ସେ କହିଛନ୍ତି । ଏସମ୍ପର୍କରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରାଙ୍କୁ ପଚାରିବାରେ ସେ କହିଲେ ଯେ ଏସମ୍ପର୍କରେ ସେ ଅବଗତ ଅଛନ୍ତି । ଆସନ୍ତା ଦଶହରା ପୂଜା ପୂର୍ବରୁ ଏହି ରାସ୍ତାର ମରାମତି କରାଯିବ ।

Leave a Reply

Your email address will not be published. Required fields are marked *