ଭୁବନେଶ୍ୱର,୧୯/୮/୨୦୨୪ (ଓଡ଼ିଶା ସମାଚାର)-ରାଷ୍ଟ୍ରୀୟ ବିଚାରଧାରାର ସାରସ୍ବତ ମଞ୍ଚ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଗତକାଲି ସ୍ଥାନୀୟ ୟୁନିଟ-୮ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକଦିବସୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଓ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପାଢ଼ୀଙ୍କ ଦ୍ୱାରା ସରସ୍ୱତୀ ବନ୍ଦନା ପରିବେଷଣ ହୋଇଥିଲା। ପରିଷଦର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀର ଉଦଘାଟନ କରି ଖ୍ୟାତିଲବ୍ଧ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସନାତନ ହିନ୍ଦୁ ଧର୍ମର ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ପରବର୍ତ୍ତୀ ସତ୍ରରେ ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ଓଡ଼ିଆ ବର୍ଣ୍ଣମାଳା, ତାର ବ୍ୟବହାର ଓ ଓଡ଼ିଆ ବର୍ଣ୍ଣମାଳାର ବିଭ୍ରାଟ ସୃଷ୍ଟି କରିବା ପାଇଁ ହେଉଥିବା ଚକ୍ରାନ୍ତରୁ ମୁକ୍ତ ରହିବ ପାଇଁ ଯୁବ ସାହିତ୍ୟିକମାନେ ନିଜକୁ ସଚେତ କରିବା ଓ ଆମ ଭାଷାକୁ ସମୃଦ୍ଧ କରିବା ପାଇଁ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ପରବର୍ତ୍ତୀ ସତ୍ରରେ ପରିଷଦର ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ଓ ଅଧ୍ୟାପକ ଡ. ଅନୁପ କୁମାର ମାର୍ଥା “ଓଡ଼ିଆ ଲୋକ ନାଟକ: ପାଲା” ସମ୍ପର୍କରେ ଆଲୋଚନା କରି କହିଥିଲେ କି ଭାଷାକୁ ବଞ୍ଚାଇ ରଖିବାରେ ପାଲା ସାଂସ୍କୃତିକ ପ୍ରହରୀ ଭଳି କାମ କରିଛି ଓ ସମରସତା ପ୍ରତିଷ୍ଠା କରିବାରେ ସହାୟକ ହୋଇଛି। ସେହିପରି ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଓ ଶବରୀ ନାରାୟଣ ପ୍ରସଙ୍ଗରେ ଡ. ପ୍ରଦୀପ କୁମାର ପଣ୍ଡା ଓ ଡ. ଅଭୟ କୁମାର ନାୟକ ଆଲୋଚନା କରି ଜଗନ୍ନାଥ ସଂସ୍କୃତି ଜଗତର ସଂସ୍କୃତି ଏଵଂ ଜନଜାତି ସଂସ୍କୃତି ସହ ଜଗନ୍ନାଥଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ପ୍ରତିଭା ମାନେ ପତ୍ରବାଚନ କରି ନିଜ ନିଜ ପତ୍ରରେ ଓଡ଼ିଆ ଭାଷା ଓ ଅସ୍ମିତା କିପରି ଅଧିକ ସମୃଦ୍ଧ ହୋଇପାରିବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ତ୍ରିପାଠୀ, ଗୋପାଳକୃଷ୍ଣ ପାଢ଼ୀ, କାଳିକିଙ୍କର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗିରିଜା ଶଙ୍କର ରଥ, ନାରାୟଣ ମାଵତଲାଲଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ରୁ ଉର୍ଦ୍ଧ ଯୁବ ସାହିତ୍ୟିକ ଯୋଗ ଦେଇ ନିଜର ସାହିତ୍ୟିକ ଜ୍ଞାନକୁ ଋଦ୍ଧିମନ୍ତ କରିଥିଲେ। ପରିଷଦର ସଂଗଠନ ସମ୍ପାଦକ ଶ୍ରୀ ନାରାୟଣ ନାୟକ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥବାବେଳେ ଅଧ୍ୟାପିକା ଶୁଭସ୍ମିତା ଦାଶ, ସୌମ୍ୟଜିତ ପଣ୍ଡା, ଡ଼ ନିରୋଦ କୁମାର ମନ୍ତ୍ରୀ ଓ ଡ଼ ରଘୁନାଥ ଓଝା ବିଭିନ୍ନ ସତ୍ରରେ ସଭା ସଞ୍ଚାଳନ କରିଥିଲେ।।