ଭୁବନେଶ୍ୱର,୮/୮/୨୦୨୪ (ଓଡ଼ିଶା ସମାଚାର)- ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର ହୋଇଛି। ଭୁବନେଶ୍ୱରସ୍ଥିତ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜା ଆନେକ୍ସରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂ ଭଳି ସାମାନ୍ୟ ଘଟଣାକୁ ନେଇ ଛୁରି ଭୁସି ଦୁଇ ସାଙ୍ଗଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ଜୁଲୁ ସେଠୀ (୩୫) ଓ କଣ୍ଟିଲୋ ଅଞ୍ଚଳର ରଶ୍ମିରଂଜନ ସେଠୀ ଓରଫ ଜିତୁ (୨୮)। ଘଟଣାସ୍ଥଳରେ ରଶ୍ମିରଂଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜୁଲୁଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଡିସିପି ପ୍ରତୀକ ସିଂ ଓ ପୁଲିସ ଟିମ୍ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲଡ ଥାନା ପୋଲିସ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ ଦୁଇ ମୃତକଙ୍କ ପରିବାର ଓ ସାଙ୍ଗସାଥୀ ଏୟାରଫିଲ୍ଡ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।