ସମ୍ବଲପୁର,୨୫/୭/୨୦୨୪ (ଓଡ଼ିଶା ସମାଚାର)- ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ଜୁଲାଇ ୨୮ ତାରିଖ ରବିବାର ପୂର୍ବାହ୍ନ ୯ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ଗୁରୁବାର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି । ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ନିଷ୍ପତ୍ତି ହୋଇଛି ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ୨୮ ତାରିଖରେ କେତୋଟି ଗେଟ୍ ଖୋଲାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ।
ରବିବାର ହୀରାକୁଦ ଜଳଭଣ୍ଡାର ର ଗେଟ୍ ଖୋଲିବ
