ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ଛାତ୍ର ଜୀବନର ସ୍ମୃତିଚାରଣ କଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ମନ୍ତ୍ରୀ ଡ. ମହାଲିଙ୍ଗ

ଭୁବନେଶ୍ୱର, ୨୧/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ବିଭାଗ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ନିଜ ଛାତ୍ରଜୀବନର ସ୍ମୃତିଚାରଣ ସହ ବିଦ୍ୟାର୍ଥୀମାନଙ୍କୁ ନିଜ ଅଧ୍ୟବସାୟ ବଳରେ ପ୍ରାଣୀବିଜ୍ଞାନ ବିଭାଗର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିଜ ସଫଳତାର ଶ୍ରେୟ ଏହି ବିଭାଗକୁ ଦେବା ସହ ଏହାକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାର ସାମଗି୍ରକ ଉନ୍ନତି ପାଇଁ ସରକାରଙ୍କ ୨୦୩୬ ଓ ୨୦୪୭ ମସିହା ପାଇଁ ରୂପରେଖ ବିଷୟରେ ପ୍ରାକ୍‌ ସୂଚନା ପ୍ରଦାନ କରି ଏହି ଆଭିମୁଖ୍ୟକୁ ସଫଳ କରିବା ପାଇଁ ବିଶ୍ୱବିଦ୍ୟାଳୟର ସହଯୋଗ କାମନା କରିଥିଲେ । ବିଭାଗର ଲାଇବ୍ରେରୀ, ମୁ୍ୟଜିୟମ୍‌, ଲାବୋରେଟୋରୀ ଓ ନିଜର ପୁରାତନ ଶ୍ରେଣୀ କକ୍ଷକୁ ଦୁଇ ମନ୍ତ୍ରୀ ପରିଦର୍ଶନ କରିଥିଲେ । ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରିବେ ବୋଲି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ ।

ପଦ୍ମଶ୍ରୀ ପ୍ରଫେସର ପି୍ରୟମ୍ବଦା ମହାନ୍ତି ହେଜ୍‌ମାଦୀ ଓଡ଼ିଶାରେ ପ୍ରାଣୀବିଜ୍ଞାନର ସଫଳତା ବର୍ଣ୍ଣନା କରିବା ସହ ବିଭାଗର ଭବିଷ୍ୟତ କାର୍ଯ୍ୟପନ୍ଥାର ସମ୍ଭାବ୍ୟ ଦିଗଗୁଡ଼ିକ ଉପରେ ସୂଚନା ଦେଇଥିଲେ । ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ. ଗୁଣନିଧି ସାହୁ ସ୍ୱାଗତ ଭାଷଣରେ ଛାତ୍ରଛାତ୍ରୀଙ୍କ ଗବେଷଣାଲବ୍ଧ ଉପଲବ୍ଧି ସଂପର୍କରେ ବର୍ଣ୍ଣନା କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ୱ ଅଭିଭାଷଣରେ

ଅତିଥିମାନେ ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର ସାମଗି୍ରକ ଉନ୍ନତିରେ ପ୍ରାଣୀବିଜ୍ଞାନ ବିଭାଗର ଯୋଗଦାନକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ୨୧ ଜୁଲାଇ ୧୯୬୦ରେ ପ୍ରତିଷ୍ଠିତ ପ୍ରାଣୀବିଜ୍ଞାନ ବିଭାଗ ଇତି ମଧ୍ୟରେ ଏହାର ରୌପ୍ୟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଛି । ବେଙ୍ଗଫୁଲା ଓ ସାମୁଦି୍ରକ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ଗବେଷଣା ପାଇଁ ଆନ୍ତର୍ଜାତିକ ସ୍ତରରେ ଏହି ବିଭାଗ ଖ୍ୟାତି ଅର୍ଜନ କରିଛି ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏବଂ ଶ୍ରୀ ହରିଚନ୍ଦନଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ କୁଳପତି ଓ ପ୍ରଫେସର ହେଜମାଦୀ ସମ୍ମାନିତ କରିଥିଲେ । ପ୍ରଫେସର ପ୍ରଭାତୀ କୁମାରୀ ମହାପାତ୍ର ଧାନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *