ନର୍ସିଂ ହୋମ୍ର ସମସ୍ତ ରୋଗୀଙ୍କୁ ଅନ୍ୟ ଚିକିତ୍ସାଳୟରେ ଯଥାଶୀଘ୍ର ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ
ଚିକିତ୍ସାଳୟର ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୩/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ।
ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ସେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।