ରାଜ୍ୟସ୍ତରୀୟ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏଙ୍କ ସମ୍ମିଳନୀ

                                             ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କର: ମନ୍ତ୍ରୀ

ଭୁବନେଶ୍ୱର, ୧୧/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏଥିପାଇଁ ୪୫୦ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା, ଜନଜାତି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷା ଯୋଗାଇଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ଅନେ୍ୱଷା ହଷ୍ଟେଲରେ ଘରୋଇ ଶିକ୍ଷକ ନିଯୁକ୍ତ କରିବା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟାବିଶିଷ୍ଟ ହଷ୍ଟେଲକୁ ବିକଶିତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଏଥିସହ ପରିଚିତି ଯୋଜନା ମାଧ୍ୟମରେ ୯୯ ଟି ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀ ନିଜସ୍ୱ କଳା, ସଂସ୍କୃତି, ଭାଷା ସହ ଯୋଡ଼ି ହୋଇ ରହିବେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

          ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଜନଜାତି ଛାତ୍ରଛାତ୍ରୀମାନଙ୍କ ଆନୁଷ୍ଠାନିକ ଓ ବୌଦ୍ଧିକ ବିକାଶ ସମେତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଡ଼େଙ୍ଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ଆବାସିକ ହଷ୍ଟେଲଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ଯୋଗାଇଦେବାକୁ ସେ ନିର୍ଦ୍ଦେଶ  ଦେଇଛନ୍ତି ।

          ଏଥିସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉପଯୁକ୍ତ ବ୍ୟବହାର ସମେତ  ଯତ୍ନ ନେବା ସହ ଅବ୍ୟବହୃତ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ବିକଶିତ ଓଡ଼ିଶା ପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ଜନସାଧାରଣଙ୍କ ଆବଶ୍ୟକତା ଓ ଦାବିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜର ଇଚ୍ଛାଶକ୍ତିକୁ ଦୃଢ କରି କଠିନ ପରିଶ୍ରମ କଲେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା ଓ ଲୋକଙ୍କ ଭଲ କରିପାରିବା ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

          ଯେଉଁଠାରେ ଆବାସିକ ବିଦ୍ୟାଳୟଗୁଡ଼ିକ ଅଛି, ସେଠାରେ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଯୁବକଙ୍କୁ ନିଯୁକ୍ତି ଦେବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଶିକ୍ଷକ, ପାଚିକା ତଥା ସହାୟିକା, ଏଏନଏମ୍‌, ମାଟ୍ରନ ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଏକ ନିରାପଦ ପରିବେଶରେ ଆବାସିକ ବିଦ୍ୟାଳୟରେ ରହି ନିଜ ଭବିଷ୍ୟତ ଗଠନ କରିପାରିବେ ।

          ଏଥିସହିତ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଗଣ୍ଡ ତିନୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି । ପ୍ରଥମ ବହି ‘ଲେଟ୍ସ ଟକ୍‌ ସେଫଫି’ରେ ଛାତ୍ରୀଙ୍କ ସହ ହେଉଥିବା ଅସଦାଚରଣ, ଗୁଡ଼୍‌ ଟଚ୍‌-ବ୍ୟାଡ୍‌ ଟଚ୍‌ ସଚେତନତା ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଦ୍ୱିତୀୟ ବହି ‘ଟ୍ରାଇବାଲ୍‌ କ୍ୟìସିନ୍‌ ଅଫ୍‌ ଓଡ଼ିଶା’ରେ ଜନଜାତି ସମ୍ପ୍ରଦାୟଙ୍କ ଖାଦ୍ୟ ବିଭବ ସମ୍ପର୍କରେ ଉଲ୍ଲେଖ ରହିଛି । ତୃତୀୟ ବହି ଏସସିଏସଟିଆରଟିଆଇର ‘ଡକୁମେଣ୍ଟଟେସନ୍‌ ଅଫ୍‌ ଗୁଡ଼୍‌ ପ୍ରାକଫିସେସ୍‌’କୁ ମଧ୍ୟ ମନ୍ତ୍ରୀ ଶ୍ରୀ ଗଣ୍ଡ ଉନ୍ମୋଚିତ କରିଛନ୍ତି ।

          ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆବାସିକ ବିଦ୍ୟାଳୟ, ହଷ୍ଟେଲର ସୁବିଧା, ଅନୁଷ୍ଠାନରେ ହେଉଥିବା ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କ ନାମଲେଖା, ଅନେ୍ୱଷା, ଇଏମଆରଏସ, ଉଭୟ ଛାତ୍ର ଓ ଛାତ୍ରୀ ଭୋଗୁଥିବା ହଷ୍ଟେଲ ସମସ୍ୟା, ସରକାରୀ ପାଣ୍ଠିର ବିନିଯୋଗ, ଭିତ୍ତିଭୂମିର ବିକାଶ ଆଦି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

0-0

Leave a Reply

Your email address will not be published. Required fields are marked *