କେନ୍ଦ୍ରାପଡା ବିଧାୟକଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ପୁରାତନ ଛାତ୍ର
କେନ୍ଦ୍ରାପଡ଼ା, ୧୦/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜରୁ ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିବା ଜନୈକ ଅଧ୍ୟାପକଙ୍କୁ ପୋଲିସ ଥାନାରୁ ଛାଡିଦେବା ଘଟଣାର ପ୍ରତିବାଦରେ ପୁରାତନ ଛାତ୍ରଙ୍କ ପକ୍ଷରୁ ଟାଉନ ଥାନା ସମ୍ମୁଖରେ ଧାରଣା ଆଜି ତୃତୀୟ ଦିନରେ ପହଂଚିଛି । ପୋଲିସର ନିସ୍କ୍ରୀୟତା ବିରୁଦ୍ଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବାକୁ ପୁରାତନ ଛାତ୍ରମାନେ ନିଷ୍ପତି ନେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ଏସି ଚୋରି ହୋଇଥିବା ନେଇ କଲେଜ ଅଧ୍ୟକ୍ଷ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେହି ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରି ପପୁ ନାମକ ଜଣେ ଇଲେକ୍ଟ୍ରୀସିଆନକୁ ଗିରଫ କରି ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ନୂଆ ଏସି ସମେତ ୩ଟି ଏସି ପୋଲିସ ଜବତ କରିଥିଲା । ଏସି ଚୋରି କରିଥିବା ଇଲେକ୍ଟ୍ରୀସିଆନ୍ର ବୟାନକୁ ଭିତିକରି କଲେଜର ପଦାର୍ଥବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କୁ ଥାନାରେ ଅଟକ ରଖି ଛାଡି ଦେଇଥିଲା । ସେହି ଘଟଣାର ପ୍ରତିବାଦରେ କଲେଜର ପୁରାତନ ଛାତ୍ରମାନେ ସୋମବାର ଠାରୁ ଟାଉନ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ସେହି ଧାରଣା ଆଜି ତୃତୀୟ ଦିନରେ ପହଂଚିଛି । କଲେଜରୁ ଚୋରି ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ଙ୍କୁ ପୋଲିସ ଛାଡିଦେବା ଘଟଣାକୁ ପୁରାତନ ଛାତ୍ରମାନେ ଗୁରୁତର ସହକାରେ ନେଇ ଏହି ଧାରଣା ଦେଇଛନ୍ତି । ଏହି ଚୋରି ଘଟଣାରେ ଥାନାରେ ଅଟକ ଥିବା ଅଭିଯୁକ୍ତ ଅଧ୍ୟାପକଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ୭ଦିନ ମଧ୍ୟରେ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଂଚ ସ୍ତରୀୟ ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ର ଚିତରଞ୍ଜନ ଦାସ, ଭାଗିରଥୀ ଜେନା, ପ୍ରତାପ ମହାନ୍ତି, ନିରଞ୍ଜନ ପରିଡା, ଆଦିକନ୍ଦ ରାଉଳ, ବିଧୁଭୂଷଣ ମହାପାତ୍ର, ରମଣୀରଞ୍ଜନ ରାଉତରାୟ, ଦୁଷ୍ମନ୍ତ ଆଚାର୍ୟ୍ୟ, ପ୍ରଦୀପ୍ତ ତରେଇ ପ୍ରମୁଖ ପୁରାତନ ଛାତ୍ରମାନେ ତୃତୀୟ ଦିନରେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ । ଟାଉନ ଥାନା ଅଧିକାରୀ ଧାରଣାସ୍ଥଳକୁ ଆସି ଧାରଣାରତ ପୁରାତନ ଛାତ୍ରମାନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେବି ତାହା ଫଳପ୍ରଦ ହୋଇନାହିଁ । ପୁରାତନ ଛାତ୍ର ପ୍ରତାପ ମହାନ୍ତି କହିଛନ୍ତି ଯେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କଲେଜର ଜଣେ ଆଲୁମିନାଇ ହୋଇଥିବା ବେଳେ ଏହି ଘଟଣାକୁ ନେଇ ସେ ଚୁପ୍ ଅଛନ୍ତି କାହିଁକି? ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା କଲେଜର ଦୁଇ ଅସ୍ଥାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଲେଜ କର୍ତୃପକ୍ଷ କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ଏତେସବୁ ଜିନିଷ କଲେଜରୁ ଚୋରି ହୋଇଥିବା ବେଳେ କଲେଜ ପରିଚାଳନା ପରିଷଦ ଏପର୍ୟ୍ୟନ୍ତ କି ପଦକ୍ଷେପ ଗ୍ରହଣ କରିଛି? ଥାନାରେ ଅଟକ ଥିବା ଅଧ୍ୟାପକ ଫେରାର ହୋଇଯାଇଥିବା ଜଣାପଡିଛି । ଏସମସ୍ତ ଘଟଣାକୁ ନେଇ କଲେଜର ଧାରଣାରତ ପୁରାତନ ଛାତ୍ରମାନେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।
କେନ୍ଦ୍ରାପଡା କଲେଜରୁ ଏସି ଚୋରି ଘଟଣା: ତୃତୀୟ ଦିନରେ ପୁରାତନ ଛାତ୍ରଙ୍କ ଧାରଣା
