ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ
ସାଧାରଣ ଦର୍ଶକଙ୍କ ଉତ୍ସୁକତା ଓ ଗବେଷକଙ୍କ ଅନୁସନ୍ଧିଚ୍ଛା ବୃଦ୍ଧିରେ ହେଉଛି ସହାୟକ
ପୁରୀ/ ଭୁବନେଶ୍ୱର, ୧୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଗତର ନାଥ ଶ୍ରୀଜଗନ୍ନାଥ । ସେ କେବଳ ଭକ୍ତିର ଠାକୁର ନୁହଁନ୍ତି, ସେ ଭାବର ଠାକୁର ମଧ୍ୟ । ସେ ହେଉଛନ୍ତି ଭକ୍ତର ଠାକୁର । ସେ ଭକ୍ତାଧୀନ ଭଗବାନ । ସେଥିପାଇଁ ତ ଭକ୍ତ ସାଲବେଗଙ୍କ ଅନୁରୋଧରେ କେତେବେଳେ ବଡ଼ଶଙ୍ଖ ନିକଟରେ ତାଙ୍କ ନନ୍ଦିଘୋଷ ଅଟକିଯାଏ, ପୁଣି କେତେବେଳେ ସେ ଭକ୍ତ ବଳରାମ ଦାସଙ୍କ ବାଲିରଥରେ ବିଜେ ହୋଇ ନନ୍ଦିଘୋଷକୁ ଆସନ୍ତି ନାହିଁ । ପତିତପାବନ ନାମକୁ ସାର୍ଥକ କରିବାକୁ ଯାଇ ସେ ବିଜେ କରନ୍ତି କର୍ମବେଦୀରୁ ନିଜ ଜନ୍ମବେଦୀକୁ । ରନିବେଦୀ ଛାଡି ବଡଦାଣ୍ଡକୁ ଆସିବାର ଅନେକ କାରଣ ମଧ୍ୟରୁ ଗୋଟିଏ ହେଉଛି ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ନଥିବା ତାଙ୍କ ଭକ୍ତମାନଙ୍କୁ ଦେଖିବା ପାଇଁ । ଏଥିପାଇଁ ତ ଶ୍ରୀ ଜଗନ୍ନାଥଙ୍କୁ କୁହାଯାଏ ଭାବରେ ବନ୍ଧା ଜଗନ୍ନାଥ, ଭକ୍ତ ଇଚ୍ଛାରେ ଆତଯାତ ।
ଶ୍ରୀଜଗନ୍ନାଥଙ୍କର ଅନେକ ଲୀଳା ମଧ୍ୟରୁ ଦୀର୍ଘ ଆଠଶହରୁ ଊଦ୍ଧ୍ୱର୍ ବର୍ଷ ପୁରାତନ ଏହି ରଥଯାତ୍ରା ଲୀଳାକୁ ଅତି ଅଭିନବ ଶୈଳୀରେ ପ୍ରଦର୍ଶିତ କରାଯାଇଛି ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ । ଯେଉଁଥିରେ ରହିଛି, ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀ ଠାରୁ ଗତ ରଥଯାତ୍ରାର କେତେକ ଆକର୍ଷଣୀୟ ଫଟୋ ସହିତ ରଥଯାତ୍ରାକୁ ନେଇ ବ୍ରିଟିଶ ଚିତ୍ରକରଙ୍କ ଦ୍ୱାରା ଅଙ୍କିତ ଚିତ୍ରର ଫଟୋ । ରଥ ଚକତଳେ ଜୀବନ ଉତ୍ସର୍ଗ କଲେ ବୈକୁଣ୍ଠ ପ୍ରାପ୍ତିର ଭ୍ରାନ୍ତ ଧାରଣା ବା ଅନ୍ଧବିଶ୍ୱାସକୁ ଦୂର କରିବାରେ ବ୍ରିଟିଶ ପୋଲିସର ଉଦ୍ୟମ, ମାଳିନୀ ନଦୀର ବାଲୁକା ଶଯ୍ୟାରେ ହାତୀ ସାହାଯ୍ୟରେ ରଥ ଠେଲା, ୧୯୩୦ ଓ ୧୯୩୨ ମସିହାର ରଥଯାତ୍ରା ସହିତ ଗତବର୍ଷର ରଥଯାତ୍ରା, ଶ୍ରୀଜଗନ୍ନଥଙ୍କ ବହୁ ପୁରାତନ ପହଣ୍ଡିର ଦୃଶ୍ୟ ସହିତ ଗତବର୍ଷର ପହଣ୍ଡି ଏବଂ ବର୍ତ୍ତମାନର ପୁରୀ ଗଜପତି ମହାରାଜାଙ୍କ କୈଶୋରାବସ୍ଥାରେ ରଥ ଛେରାପହଁରାରୁ ଗତବର୍ଷର ଛେରାପହଁରା ଆଦି ଫଟୋ ସହିତ ୧୯୧୦ ମସିହା ରଥଯାତ୍ରାରେ ଛେରାପହଁରା ପାଇଁ ବର୍ତ୍ତମାନର ଗଜପତି ମହାରାଜା ପିତା ଶ୍ରୀନଅରରୁ ବାହାରୁଥିବା ଭିଡିଓ ସାଧାରଣ ଦର୍ଶକଙ୍କ ପାଇଁ ଯେତିକି କୌତୁହଳ ସୃଷ୍ଟି କରୁଛି, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକମାନଙ୍କ ପାଇଁ ମଧ୍ୟ ସେତିକି ଉପାଦେୟ ସାବ୍ୟସ୍ତ ହେଉଛି । ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକମାନେ ସେମାନଙ୍କ ମୋବାଇଲ ଫୋନ ଓ କ୍ୟାମେରାରେ ଏହି ଦୁର୍ଲଭ ଫଟୋ ଓ ଭିଡିଓଗୁଡିକ ସାଇତି ରଖିବାର ପ୍ରୟାସ କରୁଛନ୍ତି । ସେହିପରି ପ୍ରଦର୍ଶନୀ ମଣ୍ଡପର ପ୍ରତ୍ୟେକ ପ୍ରଦର୍ଶନ ବୋର୍ଡ ସହିତ ମଣ୍ଡପର ସମ୍ମୁଖ ଭାଗରେ ରଖାଯାଇଥିବା ରଥତ୍ରୟର ଅବିକଳ ନକଲ ଏକ ପ୍ରମୁଖ ସେଲଫି ପଏଣ୍ଟରେ ପରିଣତ ହୋଇଛି ।