କାଳ ହେଲା ରିଲ୍ସ  କରିବା ନିଶା, ହାତିଆ ପାହାଡ ପାଣିରେ ଖସି ଯୁବକ ନିଖୋଜ

ନିରାକାରପୁର, ୮/୭/୨୦୨୪ (ଓଡ଼ିଶା ସମାଚାର)- କାଳ ହେଲା ରିଲ୍ସ କରିବା ନିଶା। ଗଭୀର ପାଣିରେ ନିଖୋଜ ହୋଇଗଲେ ଯୁବକ। ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ଅଗ୍ନିଶମ ଓ ଓଡ୍ରାଫ  ଟିମ କର୍ମଚାରୀ ଖୋଜୁଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳିନାହିଁ।ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ( ହାତିଆ) ମୁଣ୍ଡିଆ ରେ ଘଟିଛି ଏହି ଅଘଟଣ।   ବିଶାଳ ପାହାଡ ମଧ୍ୟରେ ରହିଛି ଅକାତକାତ ନୀଳ ଜଳରାଶି। ଆଖିକୁ ସୁନ୍ଦର ଦେଖାଯାଉଥିଲେ ସୁଦ୍ଧା ଏଠାକୁ ଯିବା ବିପଦକୁ ନିମନ୍ତ୍ରଣ କରିବା ସହ ସମାନ। ଯେଉଁଥି ପାଇଁ ଏଠାକୁ ଆସିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବାରଣ କରିଛି। ତେବେ ଏହାକୁ ବେଖାତିର କରି ସୋମବାର ୩ ଜଣ ଯୁବକ ଓ ଜଣେ ଯୁବତୀ ସାଙ୍ଗ ହୋଇ ଏଠାକୁ ବୁଲିବାକୁ ଆସିଥିଲେ । ଆଉ ପାହାଡ ତଳକୁ ଯାଇ ରିଲସ କରିବା ବେଳେ ଦୁଇ ଜଣ ଯୁବକ ଅସାବଧାନତା କାରଣରୁ ବୁଡିଯାଇଥିଲେ। ଘଟଣା ବିଷୟରେ ସ୍ଥାନୀୟ ଲୋକ ସୂଚନା ପାଇ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ଜଣେ ଏବେବି ନିଖୋଜ ରହିଛନ୍ତି। ନିଖୋଜ ଯୁବକଙ୍କ ସନ୍ଧାନରେ ଲାଗିଛନ୍ତି ସ୍କୁବା ଡ୍ରାଇଭରଙ୍କ ସହ ଓଡ୍ରାଫ ଓ ଅଗ୍ନିଶମ ବିଭାଗ। ସୂଚନା ଅନୁଯାୟୀ, ଗତ ଦୁଇରୁ ୩ବର୍ଷ ମଧ୍ୟରେ ୪ରୁ୫ ଜଣଙ୍କ ଜୀବନ ନେଇଛି ଏହି ନୀଳ ଜଳରାଶି। ଗତ ୬ରୁ୭ ମାସ ପୂର୍ବେ ଏଠାକୁ ଫଟୋ ଉଠାଇବାକୁ ଆସି ଜଣଙ୍କର ମୃତ୍ୟୁ ହୋଇଥିଲା। ସବୁପରେ ବି ସଚେତନ ହେବା ବଦଳରେ ଏହି ବିପଦପୂର୍ଣ୍ଣ ସ୍ଥାନକୁ ଆସି ଅଘଟଣକୁ ନିମନ୍ତ୍ରଣ କରୁଛନ୍ତି ଲୋକେ। ଏହି ନିଖୋଜ ଯୁବକ ନାମ ଓମ୍ ପ୍ରକାଶ ରଥ ( ପିନୁ ) ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *