ଯାଜପୁର, ୧୪/୬/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ତରଫରୁ ଯାଜପୁର ଜିଲ୍ଲା ଚାରିନଙ୍ଗଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧାଉଡିଆପଦା ଗ୍ରାମର ଦେହୁରୀ ସାହିର କୁନି କୁନି ପିଲାମାନଙ୍କୁ ନେଇ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଜ ମଉଜ କାର୍ଯ୍ୟକ୍ରମଟି ବାହାଦୁରନଗର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଶୈଳେନ୍ଦ୍ର ନାରାୟଣ ସାମଲଙ୍କ ସ୍ମୃତି ଉଦ୍ଧେଶ୍ୟରେ ପାଳନ କରାଯାଇଥିଲା।ଏହି ଅବସରରେ ସ୍ବର୍ଗତ ଶୈଳେନ୍ଦ୍ର ନାରାୟଣ ସାମଲଙ୍କ ଉଦେଶ୍ୟରେ ଶୋକ ସଭାର ଆୟୋଜନ କରାଯାଇଥିଲା। ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶିବପ୍ରସାଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗୋପିନାଥ ବିଦ୍ୟା ମନ୍ଦିର ବାହାଦୁରନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ରାମଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଟକୃଷ୍ଣ ସ୍ବାଇଁ ଓ ବିଳାସ ଚନ୍ଦ୍ର ବାରିକ ପୂର୍ବତନ ସରପଞ୍ଚ ନଳିପୁର ଯୋଗଦେଇ ସ୍ବର୍ଗତ ସାମଲଙ୍କ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଆତ୍ମାର ସଦଗତି କାମନା କରିଥିଲେ।ଏହାପରେ “ରଜ ମଉଜ ୨୦୨୪” ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ତରଫରୁ ପ୍ରଥମେ କୋମଳମତି ଶିଶୁ ମାନଙ୍କୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା। ଏହାପରେ ପିଲାମାନେ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରତିଯୋଗିତା ଯଥା- ରଜ କୁଇଜ୍ ,ଚିତ୍ରାଙ୍କନ, ଝୋଟି, ନୃତ୍ୟ, ସଂଗୀତ ଇତ୍ୟାଦିରେ ଭାଗନେଇଥିଲେ। କୃତି ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା। ଗାଁ ଗହଳିର ଦୁସ୍ତ ପ୍ରପୀଡ଼ିତ ଶିଶୁ ମାନଙ୍କ ଓଠରେ ହସ ଭରିଦେବା ପାଇଁ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ଏହିଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ଟ୍ରଷ୍ଟକୁ ଯୁବ ଇଂଜିନିୟର ଶ୍ରୀ ସମର୍ପିତ ସାମଲ ସହଯୋଗର ହାତ ବଢ଼ାଇଥିଲେ।ମହାବାହୁ ଗ୍ରୁପ୍ ଓଡ଼ିଶାର ସଦସ୍ୟ ମନୋଜ କୁମାର ବେହେରା,ଗୋବର୍ଦ୍ଧନ ମଲ୍ଲିକ, ଅଜୟ କୁମାର ମଲ୍ଲିକ, କାର୍ତିକ ଶାନ୍ତି,ସାହିଲ ସନ୍ଦୀପ ବଳ,କୁନାଲ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ବସ୍ତି ପିଲାଙ୍କ ଗହଣରେ ରଜପର୍ବ ପାଳିଲା ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ।
