ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା

ପୁରୀ,୧୩/୬/୨୦୨୪ (ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକମାନଙ୍କ ଉପସ୍ଥିତିରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି।

ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ କାମନା କରିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା। ଏଥିସହ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବର ସ୍ଥିତି ମଧ୍ୟ ପରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭକ୍ତମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା। ଚାରି ଦ୍ବାରା ଖୋଲିବା ଦ୍ବାରା ବିନା ବାଧାରେ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଅନେକ ପ୍ରତୀକ୍ଷାର ଅନ୍ତ ଘଟିବା ସହ ଭକ୍ତଙ୍କ ଇଚ୍ଛା ପୂରଣ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଦଳର ଅନ୍ୟ ମନ୍ତ୍ରୀ ତଥା ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି।ବୁଧବାର କ୍ୟାବିନେଟ ବୈଠକ ପରେ ୪ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦ୍ୱାର ଖୋଲା ଯିବା ପରେ କେଉଁ  ବ୍ୟବସ୍ଥା କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *