ଓଡ଼ିଶା ସରକାର ଏବଂ ଆନ୍ତର୍ଜାତୀୟ ଅର୍ଥ ନିଗମ ଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
ଭୁବନେଶ୍ୱର,୧୭/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାର ଏବଂ ଆନ୍ତର୍ଜାତୀୟ ଅର୍ଥ ନିଗମ ( ଆଇଏଫସି) ମଧ୍ୟରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରୋଗ୍ରାମେଟିକ ଟ୍ରାନଜାକ୍ସନ ଆଡଭାଇଜରୀ ସର୍ଭିସେସ୍ ଏଗ୍ରିମେଣ୍ଟ (ଟିଏଏସ୍ଏ) ସ୍ୱାକ୍ଷରିତ ହୋଇଛି । ଏହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଓ ବେସରକାରୀନିବେଶ ପାଇଁ କାର୍ଯ୍ୟକ୍ରମଭିତ୍ତିକ ପରାମର୍ଶ ସେବା ଚୁକ୍ତି । ଏହି ଚୁକ୍ତି ସ୍ୱାକ୍ଷରରୁ ଅନ୍ୟାନ୍ୟ କାର୍ଯ୍ୟାବଳୀ ମଧ୍ୟରେ ରାଜ୍ୟର ସରକାରୀ-ବେସରକାରୀ ସହଭାଗିତା(ପିପିପି) ପରିବେଶକୁ ସୁଦୃଢ କରିବା ମୁଖ୍ୟତଃ ଫଳାଫଳ ଆଶା କରାଯାଇଛି । ଏହି ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିକଶିତ ଓଡ଼ିଶା-୨୦୩୬ର ଲକ୍ଷ୍ୟ ସାଧନ ପାଇଁ ବେସରକାରୀ ପୁଞ୍ଜି ନିବେଶ ସଂଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହା ଫଳରେ ବିଭିନ୍ନ ଅଗ୍ରାଧିକାର କ୍ଷେତ୍ର ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ଓଡ଼ିଶାକୁ ଜାତୀୟ ଏବଂ ବିଶ୍ୱସ୍ତରରେସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ବିଶ୍ୱ ବ୍ୟାଙ୍କ ଗ୍ରୁପର ବେସରକାରୀ ଅର୍ଥପୂରଣ ଅଂଶ ବିଶେଷ ଆଇଏଫସି, ରାଜ୍ୟର ପିପିପି ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ଜ୍ଞାନ ସହଯୋଗୀ ଭାବରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ମୁଖ୍ୟ ଶାସନ ସଚିବ ଆଲେକପାତ କରିଥିଲେ ।
ଆଇଏଫସିର ଆଞ୍ଚଳିକ ପରିଚାଳନା ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଆଂଚଳିକ ନିର୍ଦ୍ଦେଶକ (ଦକ୍ଷିଣ ଏସିଆ) ଶ୍ରୀ ଶଲଭ ଟଣ୍ଡନ ତାଙ୍କ ବକ୍ତବ୍ୟରେ ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟକରିବା ସେମାନଙ୍କର ପ୍ରମୁଖ ପ୍ରାଥମିକତା ଏଜେଣ୍ଡାରେ ରହିଛି ଏବଂ ଏ ଦିଗରେ ଆଇଏଫସିଅଧିକ ଦକ୍ଷତା ଓ ଫଳପ୍ରଦ ଭାବେ କାର୍ଯ୍ୟ କରିବବୋଲି ଆଶା ପ୍ରକାଶ କରିଥିଲେ ।
;ଏହି ମିଳିତ ସହଯୋଗର ଉଦ୍ଦେଶ୍ୟ ହେଉଛି କାର୍ଯ୍ୟକ୍ଷମ ସରକାରୀ-ଘରୋଇ ଭାଗିଦାରିତାରେ (ପିପିପି) ପ୍ରକଳ୍ପର ଏକ ସଂସ୍ଥାଗତ ବ୍ୟବସ୍ଥା ସୁଦୃଢ କରି କରି ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ଘରୋଇ ନିବେଶ ସଂଗ୍ରହ ବୃଦ୍ଧି କରିବା । ଆସନ୍ତା ଏକ ବର୍ଷ ମଧ୍ୟରେ ଆଇଏଫସି ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଉର୍ଜ୍ଜା, ଲଜିଷ୍ଟିକ୍ସ ଓ ପରିବହନ, ସହରାଞ୍ଚଳ ଭିତ୍ତିଭୂମି, ଇ-ମୋବିଲିଟି ଆଦି ପ୍ରମୁଖ ପ୍ରାଥମିକତା କ୍ଷେତ୍ର ପାଇଁ ୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୨୦ଟି ପ୍ରକଳ୍ପକୁ ଚିହ୍ନଟ କରିବ ବୋଲି ଅନୁଷ୍ଠିତ ବୈଠକରୁ ଜଣାଯାଇଛି ।
-0-
ପଠାଣି ରାଉତ , ମୁଖ୍ୟ ଶାସନ ସଚିବ ଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
