ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

                                            ପ୍ରବାଦପୁରୁଷ ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ, ସ୍ପର୍ଦ୍ଧା ଓ ସମୃଦ୍ଧିର ପ୍ରତୀକ

ଭୁବନେଶ୍ୱର, ୧୭/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରବାଦପୁରୁଷ ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ, ସ୍ପର୍ଦ୍ଧା ଓ ସମୃଦ୍ଧିର ପ୍ରତୀକ । ଓଡ଼ିଶା ବାହାରେ ଓଡ଼ିଶାର ଅନନ୍ୟ ପରିଚୟ । ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଥିଲା ଅଗ୍ରଗଣ୍ୟ । ବିଜୁ ବାବୁ ଓଡ଼ିଶାର ରାଜନୀତି, ଅର୍ଥନୀତି, ସାଂସ୍କୃତିକ ଜାଗରଣ, ଚେତନା ଆନ୍ଦୋଳନକୁ ବହୁଭାବେ ପ୍ରଭାବିତ କରିଥିଲେ ବୋଲି ଅତିଥିମାନେ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସରେ ମତପ୍ରଦାନ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଥିଲେ ଜଣେ ମହାନାୟକ । ସମୟ ଓ ଇତିହାସର ଗତିପଥକୁ ବଦଳେଇଦେବା ଭଳି ଚରିତ୍ର ସେ ଥିଲେ । କେବଳ ଭାରତ ନୁହେଁ, ଇଣ୍ଡେନେସିଆ ଏବଂ ଋଷିୟା, ସବୁଠାରୁ ତାଙ୍କର ବୀରତ୍ୱ ପାଇଁ ସେ ପ୍ରଶଂସିତ ହୋଇଥିଲେ । ତାଙ୍କର ସ୍ୱପ୍ନ, ସାହସ ଏବଂ ବୀରତ୍ୱ ଅତ୍ୟନ୍ତ ମର୍ମସ୍ପର୍ଶୀ । ମଧୁବାବୁ ଯେଭଳି ଉତ୍କଳ ନାମର ସର୍ବଦା ପ୍ରଚାରପ୍ରସାର କରୁଥିଲେ, ସେଭଳି ବିଜୁବାବୁ କଳିଙ୍ଗ ଶବ୍ଦକୁ ଅତ୍ୟନ୍ତ ଭାବପ୍ରବଣ ଭାବରେ ବ୍ୟବହାର କରୁଥିଲେ । ସେଥିପାଇଁ ସେ କଳିଙ୍ଗ ନାମରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ପୁରସ୍କାରକୁ ନାମିତ କରି ରାଜ୍ୟର ଗରିମାମାୟ ଇତିହାସର ପୁନର୍ଜାଗରଣ ପାଇଁ ପ୍ରୟାସ କରିଥିଲେ ବୋଲି ପ୍ରମୁଖ ଶାସନ ସଚିବ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ସ୍ତମ୍ଭକାର ଡ. ଅଭିରାମ ବିଶ୍ୱାଳ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, କୃତି ଓ କୀର୍ତ୍ତି ଉପରେ ଆଲୋକପାତ କରିଥିଲେ । ସେ କହିଲେ ଯେ ପାରାଦୀପ ବନ୍ଦର, ମହିଳା ସଶକ୍ତିକରଣ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆଦି ତାଙ୍କର ଅନେକ ଅବଦାନ ମଧ୍ୟରୁ କେତେକ ଉଦାହରଣ ମାତ୍ର । ଶିଳ୍ପ ବିକାଶ ହେଉ ବା ଭିତ୍ତିଭୂମି, ଗରିବ ଲୋକଙ୍କ କଲ୍ୟାଣ ହେଉ ବା ମା’ମାନଙ୍କ ସଶକ୍ତିକରଣ ସବୁକ୍ଷେତ୍ରରେ ସେ ଜଣେ ଦୂରଦ୍ରଷ୍ଟା ପରି କାମ କରିଯାଇଛନ୍ତି । କୃଷିରୁ ଶିଳ୍ପ, ଶିକ୍ଷାରୁ ସଶକ୍ତିକରଣ ସବୁକ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି ବୋଲି ଡ.ବିଶ୍ୱାଳ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଓଡ଼ିଆ ଜାତି ପାଇଁ, ରାଜ୍ୟ ତଥା ଦେଶ ପାଇଁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ସବୁବେଳେ ନମସ୍ୟ ହୋଇ ରହିବେ । ବିଜୁବାବୁଙ୍କ ଦେହାବସାନ ପରେ ତାଙ୍କ ମୃତ ଶରୀରକୁ ତିନିଗୋଟି ରାଷ୍ଟ୍ରର ଜାତୀୟ ପତାକା ଦ୍ୱାରା ଆଚ୍ଛାଦିତ କରାଯାଇଥିଲା । ଅଦମ୍ୟସାହସୀ ବିଜୁ ପଟ୍ଟନାୟକ ରାଜ୍ୟ ରାଜନୀତିରେ ପ୍ରବେଶ କରି ୧୯୬୧ରେ ମୁଖ୍ୟମନ୍ତ୍ରୀ ହେବାପରେ ଓଡ଼ିଶାର ବିକାଶ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ରାଜ୍ୟବାସୀଙ୍କ ପାଇଁ ତାଙ୍କ ଆଦର୍ଶ ଅନୁକରଣୀୟ ହୋଇରହିଥିବେ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *