ଚାୟାଁପାଳ ଶକ୍ତି ପୀଠରେ ବାସନ୍ତୀ ଦୁର୍ଗାପୂଜା, ଶ୍ରୀକ୍ଷେତ୍ରରୁ ପହଂଚିଲା ଆଜ୍ଞାମାଳ

ମାହାଙ୍ଗା,୧୬/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ନଦୀ ଅବବାହିକାରେ ଅବସ୍ଥିତ ଶାକ୍ତପୀଠ ଚାୟାଁପାଳ ଠାରେ ଦୀର୍ଘ ୩ ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବାସନ୍ତୀ ଦୁର୍ଗା ଏବଂ ଶାରଦୀୟ ଦୁର୍ଗା ପୂଜା ବଙ୍ଗୀୟ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିଲା । ପରବର୍ତ୍ତୀ ସମୟରେ ଓଡ଼ିଆ ପରିବାର ଗୁଡିକ ଏହି ସାର୍ବଜନୀନ ପୂଜାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଦେଖିବାକୁ ମିଳିଲା ।ମାଆଙ୍କ ପୂଜାର୍ଚ୍ଚନା ପାଇଁ ଦେଢ଼ କ୍ୱିଣ୍ଟାଲ ପିତ୍ତଳ ନିର୍ମିତ ଏକ ସ୍ଥାୟୀ ମେଢ଼ ଏହି ଶକ୍ତି ପୀଠରେ ଶୋଭା ପାଉଛି କ୍ଷ ବହୁ କାରୁକାର୍ୟ୍ୟ ପୂର୍ଣ୍ଣ ଏହି ମେଢ଼ ନିର୍ମାଣ ପାଇଁ ଗ୍ରାମବାସୀ ମାନଙ୍କ ଆଗ୍ରହ ସାକାର ହୋଇପାରିଛି । ମେଢ଼ରେ ଭଟିମୁଣ୍ଡା ଅଞ୍ଚଳର ଶିଳ୍ପ ତ୍ରିଲୋଚନଙ୍କ କଳା ନୈପୂଣ୍ୟତାର ନିଆରା ନିଦର୍ଶନ ପ୍ରତିଫଳିତ ହୋଇଛି । ମାଆଙ୍କ ଷଷ୍ଠୀ ତିଥିରେ ଶ୍ରୀକ୍ଷେତ୍ରରୁ ପ୍ରଭୁଙ୍କ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ନେଇ ମାଆଙ୍କ ପୀଠରେ ପହଂଚିବା ପରେ ଗ୍ରାମବାସୀ ମାନେ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।  ପ୍ରଭୁଙ୍କ ୩ ସେବକ ନବ ନିର୍ମିତ ମେଢ଼କୁ ଉଦଘାଟନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମୁଣ୍ମୟ ଦର୍ଶନ ପାଇଁ ଏକତ୍ରିତ ହେବା ଦେଖିବାକୁ ମିଳିଥିଲା । ଚାୟାଁପାଳ ବାସନ୍ତୀ ଦୁର୍ଗା ପୂଜାର ପ୍ରାଚୀନ ଇତିହାସ ଏବଂ ଶ୍ରୀଜଗନ୍ନାଥ ତତ୍ୱ ଉପରେ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାପଣ୍ଡା ମାନେ ବହୁ ଉପାଦେୟ ଆଲୋଚନା କରିବା ଦେଖିବାକୁ ମିଳିଥିଲା । ଭାଇଚାରା, ସଦଭାବନା ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ନିଦର୍ଶନ ପାଲଟିଛି ଚାୟାଁପାଳର ବାସନ୍ତୀ ଦୁର୍ଗା ଉତ୍ସବ ।

Leave a Reply

Your email address will not be published. Required fields are marked *