କେନ୍ଦ୍ରାପଡ଼ା, ୦୪/୦୪/୨୦୨୪ (ଓଡ଼ିଶା ସମାଚାର)- ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏଭଳି ସମସ୍ୟାରେ ଉବୁଟୁବୁ ହେଉଥିବା କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ପଲ୍ଲୀରଘୁନାଥପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଅତ୍ୟନ୍ତ ଉତ୍କଟ ହେଉଥିବା ଦେଖିବାକୁ ମିଳିଛି । ଏହି ଗାଁର ଲୋକମାନେ ଦୀର୍ଘଦିନ ଧରି ଡେରାବିଶ ବ୍ଲକ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗୁରୁବାର ଗ୍ରାମର ୧ ଓ ୨ନମ୍ବର ୱାର୍ଡର ଅଧିବାସୀମାନେ ଜିଲାପାଳଙ୍କୁ ଭେଟି ପାନୀୟ ଜଳ ସମସ୍ୟା ଉପରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଓଭରହେଡ୍ ପାଣିଟାଙ୍କି ରହିଛି । ଏହି ଟାଙ୍କିରୁ ପାଇପ ଯୋଗେ ୪ଟି ୱାର୍ଡକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ମାତ୍ର ଗ୍ରାମର ୧ ଓ ୨ନମ୍ବର ୱାର୍ଡର ୫୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ପିଇବା ପାଣିରୁ ବଂଚିତ ହେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଚକିତ ବିଷୟ ହେଉଛି ଏହି ଜଳ ଯୋଗାଣ ବ୍ୟବସ୍ଥାରୁ କେତେକ ଅସାଧୁ ବ୍ୟକ୍ତି ଚୋରାରେ ମଟର ଲଗାଇ ନିଜ ଚାଷଜମିକୁ ପାଣି ମଡାଉଥିବାରୁ ଏହି ଦୁଇ ୱାର୍ଡବାସୀ ଜଳକ୍ଳିଷ୍ଟ ଭାବେ ଦୁର୍ଦ୍ଧଶା ଭୋଗୁଛନ୍ତି । ବିଶେଷ କରି ଗ୍ରାମର ମହିଳାମାନେ ଏଥିନିମନ୍ତେ ଗ୍ରାମ ଠାରୁ ବହୁ ଦୂରରେ ଥିବା ଗ୍ରାମରୁ ପାଣି ଆଣିବାକୁ ଯିବାକୁ ପଡୁଛି । ବ୍ଲକରେ କାର୍ଯ୍ୟରତ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେ କେବଳ ସମୟ ଗଡାଇ ଚାଲିଛନ୍ତି ବୋଲି ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ତେବେ ଏହି ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ଶ୍ରୀ ସୂର୍ଯ୍ୟବଂଶି ମୟୂର ବିକାଶ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଏ ବିଷୟରେ ଡେରାବିଶ ବ୍ଲକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରୁଦ୍ରମାଧବ ସେଠୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଥିଲେ ଯେ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଧେଶ ପାଇବା ପରେ ଗୁରୁବାର ସଂପୃକ୍ତ ଗ୍ରାମକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।
ପଲ୍ଲୀ ରଘୁନାଥପୁର ଗ୍ରାମରେ ପାନୀୟ ଜଳ ସଙ୍କଟ ନେଇ ଗ୍ରାମବାସୀ ଭେଟିଲେ ଜିଲାପାଳଙ୍କୁ
