ବାରଣାସେୟ ଉତ୍କଳ ସମାଜ ର ଉତ୍କଳ ଦିବସ ପାଳିତ

ବାରଣାସୀ/ ଭୁବନେଶ୍ୱର, ୦୨/୦୪/୨୦୨୪ (ଓଡ଼ିଶା ସମାଚାର)-୨୦୨୪ ମସିହା ଅପ୍ରିଲ ମାସ ୧ ତାରିଖ ସୋମବାର ଦିନ ବାରଣାସେୟ ଉତ୍କଳ ସମାଜ ଅନୁକୂଲ୍ୟରେ  ଉତ୍କଳ ଦିବସ ଧୂମଧାମରେ ପାଳନ ହୋଇଯାଇଛି । ବାରଣାସୀର କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ବିଜ୍ଞାନ ସଂସ୍ଥାନରେ ଥିବା ସେମିନାର ହଲରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ମହାପ୍ରଭୁ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ଭକ୍ତିପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା , ଏହା ପରେ କାନ୍ତକବିଙ୍କ ରଚିତ ଓଡିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମାତୃଭୂମି ଠାରୁ କାହିଁ କେତେ ଦୂରରେ ବନ୍ଦେ ଉତ୍କଳ ଜନନୀର ମୂର୍ଚ୍ଛନା ସମସ୍ତ ପ୍ରବାସୀ ଛାତ୍ର ଏବଂ ଅଧ୍ୟାପକଙ୍କ ହୃଦୟ ପ୍ରକମ୍ପିତ କରିଥିଲା ।ଏହି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବାରଣାସୀ ଲୋକୋମୋଟିଭ ୱାର୍କ (ବି.ଏଲ.ଡବ୍ଲ) ମୁଖ୍ୟ ପ୍ରବନ୍ଧକ ଶ୍ରୀ ବାସୁଦେବ ପଣ୍ଡା ଯୋଗଦାନ କରିଥିଲେ । ପ୍ରଫେସର ଗୋପବନ୍ଧୁ ମିଶ୍ର ସଭାର ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲାବେଳେ ସାଧାରଣ ସମ୍ପାଦକ ଡଃ ଅମିୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଫେସର ପ୍ରଦୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପତ୍ରିକା “କିଛି କଥା କିଛି ବାର୍ତା -ଏକ ଅପୂର୍ବ ଅନୁଭୂତି” ଉନ୍ମୋଚନ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବେ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କ ରଚିତ କ୍ଷୁଦ୍ର ସାମାଜିକ ନାଟକ ‘ ପୁରୁଣା ମାଟି ନୂଆ ସପନ” ମଞ୍ଚସ୍ତ ହୋଇ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ଏବଂ ବିଭିନ୍ନ ଆଧୁନିକ ନୃତ୍ୟ ମଞ୍ଚକୁ ରଙ୍ଗମୟ କରିଥିଲା । ଏଥିସହ ଅନୁଷ୍କ ବେଉରାଙ୍କ ଦ୍ବାରା ଓଡିଶୀ ନୃତ୍ୟ, ଚିନ୍ମୟ ଏବଂ ସୋନାଲୀଙ୍କ ଦ୍ବାରା’ ମୁଁ ଉତ୍କଳ’ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ଇତିହାସର ସାମୁହିକ ମୂଲ୍ୟ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ଏକ କୁଇଜ ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଙ୍କିତା, ସୋନାଲୀ, ପ୍ରିୟଦର୍ଶିନୀ, ସୋନାଲୀ ମହାପାତ୍ର, ଚିନ୍ମୟ, ଚିରଞ୍ଜିବୀ, ଅନ୍ଵେଷା, ବୈଷ୍ଣବୀ, ଐଶ୍ବର୍ଯ୍ୟ।, ଭାଗିରଥ, ବିଶାଲ, ନିହାରିକା, ମୁକିର, ଓମକୃତୀ, ହଂସୁଜା, ଅପିତା, ଦେବଦତ୍ତ, ଅନିର୍ବାଣ, ମଧୁସ୍ମିତା, ସେବାନନ୍ଦ, ସୈଜନ୍ୟା, ଶିବ।ଶିଷ, ନିରୂପମା, ଶ୍ବେତସୋମା, ପ୍ରିୟଙ୍କା, କ୍ରୀଷ୍ଣା, ଡଃ ଶିବପ୍ରସାଦ ପ୍ରମୁଖଙ୍କ ଯୋଗଦାନ ଅତୁଳନୀୟ ଥିଲା । ଶେଷରେ ସମାରୋହର ପରିଚାଳନାରେ ରୀତିକ, ପ୍ରତୀକ, ବିନିତ, ଟିକୁନ, ଗୋପାଳକୃଷ୍ଣ, ସୌମ୍ୟରଂଜନ, ଅରଜିତ, ବିକାଶ, ଅଭିନନ୍ଦନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିରେ ସରୋଜ କୁମାର ବେହେରା ଧନ୍ୟବାଦ ଜ୍ଞାପନ କରି ସଭା ସମାପନ କରିଥିଲେ । ଓଡ଼ିଆ ଝୋଟି ଚିତା ସହିତ ଦହିବରା ଆଳୁଦମ ମୁଖ୍ୟ ଆକର୍ଷଣ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଉଦ୍ଧ ପ୍ରବାସୀ ଓଡିଆ ଯୋଗ ଦେଇ ମାତୃଭୂମିର ଗୌରବ ସ୍ମରଣ କରିବା ସହ ଓଡିଆ ବ୍ୟଞ୍ଜନର ମଜା ଉଠାଇଥିଲେ ।

Leave a Reply

Your email address will not be published. Required fields are marked *