ଗୁଣୁପୁର ଠାରେ ୮୯ ତମ ଉତ୍କଳ ଦିବସ ସମାରୋହ ଅନୁଷ୍ଠିତ 

ମାହାଙ୍ଗା, ୦୨/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକର ଗୁଣୁପୁର ଠାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୯ ତମ ପୁଣ୍ୟ ତିଥିକୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା । ବସୁଧା ସମାଜ ସେବକ ସଂଘର ନବମ ବାର୍ଷିକ ଉତ୍ସବ ଅବସରରେ,ଯୁବକ ମାନେ ଏକତ୍ରିତ ହୋଇ ଗାଁ’ରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।  ଏହି ସ୍ବେଛାସେବୀ ଯୁବକ ମାନେ ସବୁବେଳେ ସମାଜ ପାଇଁ ସମର୍ପିତ ହୋଇ ଅନେକ ଭଲକାମ କରିବାର ନଜିର ରହିଛି । ବସୁଧା ସମାଜ ସେବକ ଅନୁଷ୍ଠାନର ଯୁବକ ମାନେ ଗ୍ରାମ୍ୟ ଶ୍ମାଶନର ପୁନଃଉଦ୍ଧାର କରି ପ୍ରଶଂସିତ ହୋଇ ପାରିଥିବା ବେଳେ ସେମାନେ ଗାଁ’ର ଆଖପାଖ ଅଂଚଳରେ ସବୁଜ ବଳୟ ସୃଷ୍ଟି ପାଇଁ ଗୁରୁତ୍ୱ ଦେବାରୁ ବ୍ୟାପକ ବୃକ୍ଷ ରୋପଣ ହୋଇପାରିଛି ବୋଲି ଜଣାପଡିଥିଲା ।  ସେମାନେ ଗ୍ରାମ୍ୟ ମନ୍ଦିର ସଫେଇ ଠାରୁ ଗ୍ରୀଷ୍ମ ଋତୁରେ ତୃଷାର୍ଥ ମାନଙ୍କୁ ଜଳଛତ୍ର ମାଧ୍ୟମରେ ପିଇବା ପାଣି ଯୋଗାଣ ଭଳି ଅନେକ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ।

 ଆଜି ୮୯ ତମ ଉତ୍କଳ ଦିବସକୁ ସ୍ମରଣୀୟ ରଖିବା ପାଇଁ ବସୁଧା ସମାଜ ସେବକ ସଂଘ ପକ୍ଷରୁ ଗୁଣୁପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଦେଖିବାକୁ ମିଳିଥିଲା ।  ଏହି ଅବସରରେ ରକ୍ତଦାନ ଭଳି ପୁଣ୍ୟ କାର୍ଯ୍ୟରେ ୩0 ରୁ ଉର୍ଦ୍ଧ୍ଵ ଜୀବନଦାତା ରକ୍ତ ଦେଇଥିଲେ ।  ସେହିପରି ସଂଗୀତ, ନୃତ୍ୟ, ଅଭିନୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ବହୁ ଛାତ୍ର-ଛାତ୍ରୀ ଭାଗନେଇଥିଲେ । ଉତ୍କଳ ଦିବସ ସମାରୋହରେ ପଣ୍ଡିତ ରବୀନ୍ଦ୍ର କୁମାର କର ଅଧ୍ୟକ୍ଷତା   କରିଥିଲେ ।  ବନ୍ଦେ ଉତ୍କଳ ସଂଗୀତ ଗାନ କରାଯିବା ସହିତ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ବିଶିଷ୍ଟ ଚିନ୍ତାନାୟକ ବାରିଷ୍ଟର ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଉତ୍ସବରେ ପ୍ରଫେସର କାର୍ତ୍ତିକେଶ୍ୱର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଆ ଜାତିର ଅସ୍ମିତା ପ୍ରତି ଆନ୍ତରିକତା ଏବଂ ଗଭୀର ଅତ୍ମୀୟତା ସୃଷ୍ଟି ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଗରିମାକୁ ସମୃଦ୍ଧ କରିବାକୁ ଯୁବ ପୀଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ସୁ-ସାହିତ୍ୟିକ ତଥା ଅଧ୍ୟାପକ ଡକ୍ଟର ମନୋରଞ୍ଜନ ବେହୁରା ଯୋଗଦେଇ ଉତ୍କଳ ପ୍ରଦେଶ ଗଠନର ଇତିହାସ ଉପରେ ଆଲୋକପାତ କରିଥିଲେ । ସେହିପରି ସମାଜସେବୀ କବି ପ୍ରଶାନ୍ତ କର, ଅଙ୍ଗଦାନ ପାଇଁ ସମର୍ପିତ ବର୍ଷିଆନ କବି ଉତ୍ତମ ଯେନା ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ସାହୁ, ସମ୍ପାଦକ ସଦାଶିଷ ସାହୁ, ଚିନ୍ମୟ ସାହୁ, କ୍ଷିତୀଶ ସାହୁ ବିଭୁତି ସାହୁ, ନିରଞ୍ଜନ ବେହେରା, ରମାକାନ୍ତ ଦାସ ଏବଂ ବିପ୍ରବର ସାହୁ, ରାଧା ବଲ୍ଲବ ସାହୁ, ରଜତ ଭୂୟାଁ, ଚିତ୍ତରଞ୍ଜନ ସିଂ, ଅଭୟ ସାହୁ ପ୍ରମୁଖ ସଂଘର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବରେ ଅନୁଷ୍ଠାନ ପକ୍ଷକୁ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *