ବ୍ୟକ୍ତିର ବ୍ୟକ୍ତିତ୍ଵ ଓ କାର୍ଯ୍ୟ ଦକ୍ଷତା ତାକୁ ସମାଜରେ ପ୍ରତିଷ୍ଠିତ କରାଏ
ନିରାକାରପୁର, ୨୫/୧୧/୨୦୨୩ (ଓଡ଼ିଶା ସମାଚାର)- ପ୍ରକୃତ ଭଲ ମଣିଷ ଚିହ୍ନି ସେମାନଙ୍କୁ ପ୍ରୋତ୍ସାହିତ କରିଲେ ସେମାନେ ଆହୁରି ପାଦେ ଆଗକୁ ବଢ଼ିବାକୁ ପ୍ରେରଣା ପାଇଥାଏ। ବ୍ୟକ୍ତିର ବ୍ୟକ୍ତିତ୍ଵ ଓ କାର୍ଯ୍ୟ ଦକ୍ଷତା ତାକୁ ସମାଜରେ ପ୍ରତିଷ୍ଠିତ କରାଇବାରେ ସହାୟ ହୋଇଥାଏ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମଦୟା ପରିଷଦ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଡ ବେଣୁଧର ଦାସଙ୍କ ଅଧ୍ୟକ୍ଷତାରେ ରାମଦୟା ପରିଷଦ ସଭାପତି ଡ ମୃତ୍ୟୁଞ୍ଜୟ ରଥଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ମୁଖ୍ୟ ବକ୍ତା ଭାବେ ଡ ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ସମ୍ମାନୀତ ଅତିଥିଭାବେ ରାମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ , ବରିଷ୍ଠ ସଭ୍ୟ ବେଣୁଧର ଚମ୍ପତିରାୟ ପ୍ରମୁଖ ଯୋଗଦେଇ ଅଞ୍ଚଳର ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ସହିତ ମାନପତ୍ର ପ୍ରଦାନ କରିଥିଲେ। ଶେଷରେ ରାମଦୟା ପରିଷଦ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ରମାନାଥ ଦାଶ,ଲକ୍ଷ୍ମୀଧର ସାମନ୍ତରାୟ, ଉପସଭାପତି ସାରଙ୍ଗଧର ବଳିଆରସିଂହ, ଲକ୍ଷ୍ମୀଧର ଦଳେଇ, ପ୍ରତାପ ଶ୍ରୀଚନ୍ଦନ , ଅଶୋକ ବାହୁବଳେନ୍ଦ୍ର ଓ ସର୍ବେଶ୍ଵର ପାହାଡ଼ସିଂହ ପ୍ରମୁଖ ଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ।