ଭୁବନେଶ୍ୱର,୨୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାବସାନ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଓଡ଼ିଶା ଆଜି ତାର ଆଉ ଜଣେ ଯୋଗ୍ୟ ସନ୍ତାନକୁ ହରାଇଲା । କ୍ରମାଗତ ୭ ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ସବୁ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ନିଜର ଅସାଧାରଣ ଧିଶକ୍ତି, ଗଭୀର ଅଧ୍ୟୟନ ଏବଂ କଠିନ ପରିଶ୍ରମ ବଳରେ ରାଜ୍ୟର ବିକାଶ ଏବଂ ରାଜନୀତିରେ ସେ ଯେଉଁ ମାନକ ସ୍ଥାପିତ କରିଛନ୍ତି ଉତ୍ତରପିଢି ପାଇଁ ତାହା ସର୍ବଦା ଅନୁକରଣୀୟ ହୋଇ ରହିବ । ଜଣେ ଦକ୍ଷ ସଙ୍ଗଠକ, ନିର୍ଭିକ ଏବଂ ଲୋକପ୍ରିୟ ରାଜନୀତିଜ୍ଞ ଭାବେ ସେ ଚିର ସ୍ମରଣୀୟ ରହିବେ ।
ତାଙ୍କ ବିୟୋଗରେ ଯେଉଁ ଅପୂରଣୀୟ କ୍ଷତି ଓ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ । ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରୁଛି ବୋଲି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କ ଶୋକବାର୍ତ୍ତାରେ ଜଣାଇଛନ୍ତି ।