ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୧୮/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତାର ଏକ ଦଫା ଦାବି ପୂରଣ ପାଇଁ ଦୀର୍ଘ ୪୯୭ଦିନ ଧରି ବିଧାନସଭା ସମ୍ମୁଖରେ ଗାନ୍ଧୀମାର୍ଗରେ ଚଳାଇ ଆସୁଥିବା ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛି । ଆଜି ଧାରଣାସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଓ ନିର୍ବାଚନ ପାଇଁ ଜାରି ହୋଇଥିବା ଆଦର୍ଶ ଆଚରଣବିଧି କଟକଣାକୁ ସମ୍ମାନ ଜଣାଇ ଦୀର୍ଘଦିନ ଧରି ଅହୋରାତ୍ର ଚାଲିଥିବା ଆନ୍ଦୋଳନକୁ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ଏବଂ ତା’ ପରେପରେ ଦାବି ହାସଲ ପର୍ଯ୍ୟନ୍ତ ପୁନର୍ବାର ଆନ୍ଦୋଳନ ଚାଲୁ ରହିବାକୁ ନିଷ୍ପତିି ଗ୍ରହଣ କରାଯାଇଅଛି । ସଂଘର ଦାବିଟି ହେଲା ଓଡ଼ିଶାରେ ଥିବା ସମସ୍ତ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ହୋଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରନ୍ତୁ । ଏହି ଦାବି ପୂରଣ ପାଇଁ ସଂଘ ତରଫରୁ ବାରମ୍ବାର ରାଲି, ଧାରଣା, ବିକ୍ଷୋଭ, ଅନଶନ ଓ ଆଇନ୍ ଅମାନ୍ୟ ଭଳି ଆନ୍ଦୋଳନ କରାଯାଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଆସୁଥିଲା ଓ ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ମାନ୍ୟବର ଅର୍ଥମନ୍ତ୍ରୀ, ଅର୍ଥ ସଚିବ, ୫-ଟି ଅଧ୍ୟକ୍ଷ ଏପରିକି ଜିଲାପାଳମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଦ୍ୱାରା ଦାବି ସମ୍ପର୍କରେ ଅବଗତ କରାଯାଇଥିଲା । ସରକାର ଏହି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବାରୁ ସଂଘ ତରଫରୁ କ୍ଷୋଭ ଏବଂ ଦୁଃଖ ପ୍ରକାଶ କରାଯାଇଅଛି । ଗତ ୧୮.୧୧.୨୦୨୩ରେ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିରେ ଏହି ଦାବି ସମ୍ପର୍କରେ ଆଲୋଚନା କରାଯାଇ କୌଣସି ନିଷ୍ପତି ନିଆଯାଇ ନଥିବାରୁ ଆମ ଦାବି ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ କରିବା ସହିତ ଆଗାମୀ ଦିନରେ ସରକାରଙ୍କୁ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ, ଏପରିକି ଆଗାମୀ ସାଧାରଣ ନିର୍ବାଚନରେ ମତଦାନ କ୍ଷେତ୍ରରେ ୫ ହଜାରରୁ ଊଦ୍ଧ୍ୱର୍ ଅଧ୍ୟାପକ ଓ କର୍ମଚାରୀ ପରିବାରର ସଦସ୍ୟମାନେ ସରକାରଙ୍କୁ ଉଚିତ୍ ଜବାବ ଦେବେବୋଲି ସଂଘର ସଭାପତି ବିଶ୍ୱରଂଜନ ଦାସ ଜଣାଇଛନ୍ତି । ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଅଛି ।

Leave a Reply

Your email address will not be published. Required fields are marked *