ଭୁବନେଶ୍ୱର, ୧୬/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭାରତ ନିର୍ବାଚନ ଆୟୁକ୍ତ ରାଜ୍ୟରେ ୨୧ ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତରିଖ ଘୋଷଣା କରିଛନ୍ତି । ଏଥି ସହ ସମଗ୍ର ଦେଶରେ ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଛି ।
ନିର୍ବାଚନ ଘୋଷଣା ହେବା ପରେ ଏକ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।
ରାଜ୍ୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚାରଣ ବିଧିର କଡ଼ାକଡ଼ି ଅନୁପାଳନ କରିବାକୁ ଅନୁରୋଧ କରିଥିଲେ । ରାଜ୍ୟରେ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳ ପ୍ରତିବଦ୍ଧତା ପ୍ରଦର୍ଶନ କରିବେ ବୋଲି ଶ୍ରୀ ଧଳ ଆଶାବ୍ୟକ୍ତ କରିଥିଲେ ।
