ବିଜେଡିରେ ଯୋଗ ଦେଲେ ଶ୍ରମିକ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଭୁବନେଶ୍ୱର,୧୭/୦୩/୨୦୨୪ (ଓଡ଼ିଶା ସମାଚାର)-  ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା, ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ,ଶ୍ରମିକ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ରବିବାର ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକଙ୍କ ସହ ସେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ବିଜେଡିରେ ମିଶିବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଶ୍ରମିକ ନେତା ବାପି ସର୍ଖେଲ କଂଗ୍ରେସ ଦଳରୁ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୫୦ହଜାରରୁ ଅଧିକ ଭୋଟ ପାଇଥିବା ବାପି ନିର୍ବାଚନରେ ପରାଜିତ ହେବାପରେ କଂଗ୍ରେସଠାରୁ ଦୂରେଇ ଯାଇଥିଲେ। ବିଗତ ପୌର ନିର୍ବାଚନରେ ସେ ‘ଆମ ପାରାଦ୍ୱୀପ ଆମ ପ୍ରଗତି ’ ନାମରେ ନୂଆ ସଙ୍ଗଠନ ଗଠନ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଏହି ସଙ୍ଗଠନ ବିଜେଡି ଓ ବିଜେପିକୁ ପଛରେ ପକାଇ ୧୯ଟି ପାରିଷଦ ଆସନ ମଧ୍ୟରୁ ୯ଟି ଆସନ ହାତେଇଥିଲା। ଏମିତିକି ତାଙ୍କ ସଙ୍ଗଠନ ପୌର ଉପାଧ୍ୟକ୍ଷ ପଦ ମଧ୍ୟ ପାଇଥିଲା। ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ତାଙ୍କ ପତ୍ନୀ ଦୀପା ସର୍ଖେଲ ଗୋଡ଼ କାଢିଛନ୍ତି। ତାଙ୍କ ସମର୍ଥନରେ ଜିତିଥିବା ସାତ ସ୍ୱାଧୀନ କାଉନସିଲର ବି ବିଜେଡିରେ ଯୋଗ ଦେଇଛନ୍ତି । ସେମାନେ ହେଲେ ଛବିଲତା ରାଉତ, ଜୟନ୍ତୀ ମାଦେଲି, ସ୍ବପନାରାଣୀ ଜେନା, ବନିତା ରାଉତ, ଶୁକ୍ରମଣି ନାଗ, ସୌଦାମିନୀ ରାଉତ , ରୁନିବାଳା ପରିଡା, ଜଗନା ରାଓ କାମଲା ।  ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କାହାକୁ ଅଣଦେଖା କରନ୍ତି ନାହିଁ । ସେ କାମରେ ବିଶ୍ୱାସ କରନ୍ତି । କର୍ମୀମାନେ ଲଢୁଆ ସୈନିକ ଭାବେ କାମ କରିବେ । ସମସ୍ତେ ଦଳରେ ଉଚିତ ପ୍ରାପ୍ୟ ପାଇବେ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ।

Leave a Reply

Your email address will not be published. Required fields are marked *